କନକ ବ୍ୟୁରୋ: ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏପରି କିଛି ମହାନାୟକ ଅଛନ୍ତି, ଯେଉଁମାନେ ଦେଶ ମାତୃକାର ସ୍ୱାଧୀନତା ଯଜ୍ଞରେ ନିଜ ରକ୍ତର ଶେଷ ବିନ୍ଦୁ ପର୍ଯ୍ୟନ୍ତ ଆହୁତି ଦେଇଛନ୍ତି । ସେହି ମହାନ କ୍ରାନ୍ତିକାରୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ 'ପଞ୍ଜାବ କେଶରୀ' ଲାଲା ଲଜପତ ରାୟ ।

Advertisment

ପ୍ରାରମ୍ଭିକ ଜୀବନ 
୧୮୬୫ ମସିହା ଜାନୁଆରୀ ୨୮ରେ ପଞ୍ଜାବର ମୋଗା ଜିଲ୍ଲାରେ ଲାଲା ରାଧାକୃଷ୍ଣ ଅଗ୍ରୱାଲଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଲାଲାଜୀ । ପିଲାଟି ଦିନରୁ ଲେଖାଲେଖି ଓ ଭାଷଣ ଦେବାରେ ତାଙ୍କର ବିଶେଷ ରୁଚି ଥିଲା । ଏହି ଆଗ୍ରହ ତାଙ୍କୁ ଓକିଲାତି ପେସା  ଆଡ଼କୁ ଆକର୍ଷିତ କଲା ଏବଂ ୧୮୮୦ ମସିହାରେ ସେ ଲାହୋରର ସରକାରୀ କଲେଜରେ ଆଇନ ପଢ଼ା ଆରମ୍ଭ କଲେ । ସେଠାରେ ସେ ଆର୍ଯ୍ୟ ସମାଜର ଆନ୍ଦୋଳନରେ ସକ୍ରିୟ ଭାବେ ଜଡ଼ିତ ହେଲେ । ପାଠପଢ଼ା ସାରିବା ପରେ ସେ ଜଗରାଓଁ, ରୋହତକ ଓ ହିସାରରେ ଓକିଲାତି କରିବା ସହ କଂଗ୍ରେସର ବୈଠକମାନଙ୍କରେ ଯୋଗ ଦେବା ଆରମ୍ଭ କଲେ ଏବଂ ଖୁବ୍ ଶୀଘ୍ର କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ପାଲଟିଗଲେ ।

ଜନସେବା ପ୍ରତି ଲାଲାଜୀଙ୍କର ଗଭୀର ଆଗ୍ରହ ଥିଲା । ୧୮୯୭ ଓ ୧୮୯୯ ମସିହାରେ ଦୁର୍ଭିକ୍ଷ ଓ ମହାମାରୀ ସମୟରେ ସେ ନିଜ ଜୀବନକୁ ପାଣି ଛଡ଼ାଇ ଲୋକଙ୍କର ସେବା କରିଥିଲେ । ୧୯୦୫ ମସିହାରେ ବଙ୍ଗ ବିଭାଜନ ବିରୋଧରେ ତାଙ୍କର ଭୂମିକା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଏହି ସମୟରେ ଲାଲ-ବାଲ-ପାଲ (ଲାଲା ଲଜପତ ରାୟ, ବାଲ ଗଙ୍ଗାଧର ତିଳକ, ବିପିନ ଚନ୍ଦ୍ର ପାଲ)ଙ୍କ ତ୍ରିମୂର୍ତ୍ତି ବ୍ରିଟିଶ ଶାସନ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିଲେ । ଏହି ତ୍ରିମୂର୍ତ୍ତିଙ୍କ ନେତୃତ୍ୱରେ ସାରା ଦେଶରେ ବ୍ରିଟିଶ ସାମଗ୍ରୀର ବହିଷ୍କାର ଓ ହରତାଳ ମାଧ୍ୟମରେ ସରକାରଙ୍କୁ ବିରୋଧ କରାଗଲା, ଯାହା ଇଂରେଜମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା ।

ବିଦେଶରେ ସ୍ୱାଧୀନତାର ବହ୍ନି

ଅକ୍ଟୋବର ୧୯୧୭ରେ, ଲାଲାଜୀ ଆମେରିକାର ନ୍ୟୁୟର୍କ ସହରରେ "ଇଣ୍ଡିଆନ୍ ହୋମ୍ ରୁଲ୍ ଲିଗ୍ ଅଫ୍ ଆମେରିକା" ନାମକ ଏକ ସଂଗଠନ ସ୍ଥାପନ କଲେ । ଏହି ସଂଗଠନ ମାଧ୍ୟମରେ ସେ ଦେଶ ବାହାରେ ରହି ମଧ୍ୟ ଭାରତର ସ୍ୱାଧୀନତା ସଂଗ୍ରାମକୁ ଜୀବନ୍ତ ରଖିଥିଲେ । ଯେତେବେଳେ ସେ ୨୦ ଫେବୃଆରି ୧୯୨୦ରେ ଭାରତ ଫେରିଲେ, ସେତେବେଳକୁ ସେ ଦେଶବାସୀଙ୍କ ପାଇଁ ଜଣେ ମହାନାୟକ ପାଲଟି ସାରିଥିଲେ ।

ସାଇମନ କମିସନ ବିରୋଧ ଓ ବଳିଦାନ

୩ ଫେବ୍ରୁଆରି ୧୯୨୮ରେ ସାଇମନ କମିଶନ ଭାରତରେ ପହଞ୍ଚିଲା । ଏହି କମିଶନରେ କୌଣସି ଭାରତୀୟ ସଦସ୍ୟ ନଥିବାରୁ ସାରା ଦେଶରେ ଏହାକୁ ତୀବ୍ର ବିରୋଧ କରାଗଲା । "ସାଇମନ ଗୋ ବ୍ୟାକ୍" (ସାଇମନ ଫେରିଯାଅ) ନାରାରେ ସାରା ଦେଶ ପ୍ରକମ୍ପିତ ହେଲା । ୧୯୨୮ ମସିହା ଅକ୍ଟୋବର ୩୦ରେ ଲାହୋରରେ ସାଇମନ କମିସନ ବିରୋଧରେ ଏକ ବିଶାଳ ଶୋଭାଯାତ୍ରାର ନେତୃତ୍ୱ ନେଉଥିଲେ 'ପଞ୍ଜାବର ସିଂହ' ଲାଲା ଲଜପତ ରାୟ । ଇଂରେଜ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଏହି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରେ ନିର୍ମମ ଭାବେ ଲାଠିମାଡ଼ କଲା । ଲାଲାଜୀ ନିଜ ଛାତିରେ ଲାଠିର ପ୍ରହାର ସହିଥିଲେ, ଯାହାଫଳରେ ସେ ଗୁରୁତର ଭାବେ ଆହତ ହେଲେ । ଏହି ଆଘାତ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିଲା ଏବଂ ଶେଷରେ ୧୯୨୮ ମସିହା ନଭେମ୍ବର୧୭ରେ ଭାରତ ମାତାର ଏହି ବୀର ସନ୍ତାନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।ୃ

ବୀରଗତିର ପ୍ରତିଶୋଧ

ଲାଲାଜୀଙ୍କ ମୃତ୍ୟୁରେ ସମଗ୍ର ଦେଶରେ କ୍ରୋଧର ଜ୍ୱାଳା ଦେଖାଦେଲା । ଚନ୍ଦ୍ରଶେଖର ଆଜାଦ, ଭଗତ ସିଂହ, ରାଜଗୁରୁ, ସୁଖଦେବଙ୍କ ଭଳି କ୍ରାନ୍ତିକାରୀମାନେ ଏହାର ପ୍ରତିଶୋଧ ନେବାକୁ ଶପଥ ନେଲେ । ଲାଲାଜୀଙ୍କ ମୃତ୍ୟୁର ଠିକ୍ ଏକ ମାସ ପରେ, ୧୭ ଡିସେମ୍ବର ୧୯୨୮ରେ, ବ୍ରିଟିଶ ପୋଲିସ ଅଧିକାରୀ ସାଣ୍ଡର୍ସକୁ ଗୁଳି କରି ହତ୍ୟା କରାଗଲା । ଏହି ହତ୍ୟାକାଣ୍ଡରେ ହିଁ ପରବର୍ତ୍ତୀ ସମୟରେ ରାଜଗୁରୁ, ସୁଖଦେବ ଓ ଭଗତ ସିଂହଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ଲାଲା ଲଜପତ ରାୟଙ୍କ ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲା ଏବଂ ଅଗଣିତ ଯୁବକଙ୍କୁ ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିବାକୁ ପ୍ରେରଣା ଦେଇଥିଲା ।