କନକ ବ୍ୟୁରୋ : ସ୍ୱାଧୀନତା ଦିବସ ଭାରତ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ । ୧୫ ଅଗଷ୍ଟ, ୧୯୪୭ରେ ବର୍ଷର ବ୍ରିଟିଶ ଶାସନର ଅନ୍ତ ଘଟାଇ ଦେଶକୁ ସ୍ୱାଧୀନତା ମିଳିଥିଲା । ଏହା ସମସ୍ତ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗର୍ବର ଦିନ, କାରଣ ଆମେ ସେହି ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଉ, ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ନିଜ ପ୍ରାଣ ଉତ୍ସର୍ଗ କରିଥିଲେ । ସେମାନଙ୍କର ଅତୁଟ ଦେଶଭକ୍ତି ବ୍ରିଟିଶ ସାମ୍ରାଜ୍ୟକୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲା । ଆଜି ମଧ୍ୟ ମହାତ୍ମା ଗାନ୍ଧୀ, ଚନ୍ଦ୍ରଶେଖର ଆଜାଦ, ଭଗତ ସିଂହ, ସୁଭାଷ ଚନ୍ଦ୍ର ବୋଷ, ଲାଲା ଲାଜପତ ରାୟ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଜାଣିଛୁ, କିନ୍ତୁ ଆହୁରି ଅନେକ ନାୟକ ଅଛନ୍ତି ଯେଉଁମାନେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ।
ଏଭଳି ଜଣେ ଦେଶଭକ୍ତ ହେଉଛନ୍ତି କରତାର ସିଂହ ସରାଭା, ଯିଏ ମାତ୍ର ୧୯ ବର୍ଷ ବୟସରେ ନିଜ ଜୀବନକୁ ବଳିଦାନ ଦେଇଥିଲେ । କରତାର ସିଂହ ସରାଭା ଭଗତ ସିଂହଙ୍କ ସମେତ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ପ୍ରେରଣା ପାଲଟିଥିଲେ । ଭଗତ ସିଂହ ତ ତାଙ୍କୁ ନିଜର "ଗୁରୁ" ଓ ଆଦର୍ଶ ବୋଲି ମାନୁଥିଲେ । ଲାହୋର ଷଡ଼୍ଯନ୍ତ୍ର ମାମଲାରେ ସରାଭା ଏବଂ ଅନ୍ୟ ୨୭ ଜଣ କ୍ରାନ୍ତିକାରୀଙ୍କୁ ଅଭିଯୁକ୍ତ କରାଯାଇଥିଲା ଏବଂ ସେମାନଙ୍କ ଉପରେ ମକଦ୍ଦମା ଚଳାଇ ଫାଶୀ ଦଣ୍ଡ ଦିଆଯାଇଥିଲା ।
ଭାରତୀୟଙ୍କ ପ୍ରତି ଦୁର୍ବ୍ୟବହାରକୁ ସହିପାରିନଥିଲେ
ଶହୀଦ କରତାର ସିଂହଙ୍କ ଜନ୍ମ ୨୪ ମଇ, ୧୮୯୬ରେ ଲୁଧିଆନାର ସରାଭା ନଗରରେ ଏକ ଜାଟ୍ ଶିଖ୍ ପରିବାରରେ ହୋଇଥିଲା । କରତାର ସିଂହ ପିଲାଦିନେ ନିଜ ପିତାଙ୍କୁ ହରାଇଥିଲେ ଏବଂ ତାଙ୍କ ଜେଜେବାପା ତାଙ୍କର ଲାଳନପାଳନ କରିଥିଲେ । କରତାର ନିଜର ପ୍ରାଥମିକ ଶିକ୍ଷା ଗାଁ ସ୍କୁଲରୁ ଏବଂ ମାଟ୍ରିକ୍ ମିଶନ ହାଇସ୍କୁଲରୁ ସମାପ୍ତ କରିଥିଲେ । ୧୬ ବର୍ଷ ବୟସରେ ତାଙ୍କ ଜେଜେବାପା ତାଙ୍କୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ରସାୟନ ବିଜ୍ଞାନ ପଢ଼ିବା ପାଇଁ ପଠାଇ ଦେଇଥିଲେ ।
ସାନ ଫ୍ରାନ୍ସିସ୍କୋରେ ପହଞ୍ଚିବା ପରେ ଏକ ଘଟଣା କରତାର ସିଂହଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ସେଠାରେ ସେ ଭାରତୀୟଙ୍କ ପ୍ରତି ଅପମାନଜନକ ବ୍ୟବହାର ଦେଖିଥିଲେ । ଭାରତୀୟଙ୍କୁ "ଗୁଲାମ" କୁହାଯାଉଥିଲା ଏବଂ ଖରାପ ବ୍ୟବହାର କରାଯାଉଥିଲା । ସେ ବର୍କଲେରେ ଭାରତୀୟ ଛାତ୍ରମାନଙ୍କ 'ନାଳନ୍ଦା କ୍ଲବ'ରେ ଯୋଗ ଦେଲେ ଏବଂ ଭାରତୀୟ ପ୍ରବାସୀ, ବିଶେଷକରି ଶ୍ରମିକମାନଙ୍କ ସହ ହେଉଥିବା ଦୁର୍ବ୍ୟବହାରରେ କ୍ରୋଧିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଦେଲେ ।
ଗଦର ଆନ୍ଦୋଳନର ପ୍ରମୁଖ ସଦସ୍ୟ
ପାଠପଢ଼ା ସମୟରେ ସେ ଗଦର ଆନ୍ଦୋଳନର ପ୍ରମୁଖ ସଦସ୍ୟ ହୋଇଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା । ଗଦର ପାର୍ଟିର ଗଠନ ୨୧ ଏପ୍ରିଲ, ୧୯୧୩ରେ ଓରେଗନରେ କରାଯାଇଥିଲା । ଯେଉଁଠାରେ କରତାର ସିଂହ 'ଗଦର' ଖବରକାଗଜର ପଞ୍ଜାବୀ ସଂସ୍କରଣର ଦାୟିତ୍ୱରେ ଥିଲେ । ଏହି ଖବରକାଗଜ ବ୍ରିଟିଶ ଅତ୍ୟାଚାରକୁ ପଦାରେ ପକାଉଥିଲା ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ କ୍ରାନ୍ତିକାରୀ ବିଚାରକୁ ପ୍ରୋତ୍ସାହିତ କରୁଥିଲା । ପରେ କରତାର ସିଂହ ଭାରତ ଫେରିଆସି ଅନ୍ୟ ଯୁବ କ୍ରାନ୍ତିକାରୀଙ୍କ ସହ ମିଶି କଲିକତାରେ ଜତୀନ ମୁଖାର୍ଜୀଙ୍କୁ ଭେଟିଥିଲେ । ମୁଖାର୍ଜୀ ତାଙ୍କୁ ରାସବିହାରୀ ବୋଷଙ୍କ ସହ ଯୋଡ଼ିଥିଲେ ଏବଂ ସେମାନେ ପଞ୍ଜାବରେ ଏକ କ୍ରାନ୍ତି ପାଇଁ ଯୋଜନା କରିଥିଲେ । ଇଂରେଜମାନେ ତାଙ୍କ ଯୋଜନା ବିଷୟରେ ଜାଣିବା ପରେ କରତାର ସିଂହଙ୍କ ପଛରେ ପଡ଼ିଯାଇଥିଲେ । ଏହି ସମୟରେ ଇଂରେଜମାନେ ଅନେକ ଗଦରପନ୍ଥୀଙ୍କୁ ଗିରଫ କରିଥିଲେ, ତଥାପି ସେମାନେ ନିଜ ପ୍ରୟାସ ଜାରି ରଖିଥିଲେ ।
ଜଣେ ବିଶ୍ୱାସଘାତକ ସାଥୀଙ୍କ କାରଣରୁ ଗିରଫ ହେଲେ
୨୧ ଫେବୃଆରୀ, ୧୯୧୫ରେ କରତାର ସିଂହ ଏବଂ ବରିଷ୍ଠ ନେତାମାନେ ବ୍ରିଟିଶ୍ ସେନା ଛାଉଣୀ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । କିନ୍ତୁ ତାଙ୍କର ଜଣେ ବିଶ୍ୱାସଘାତକ ସାଥୀ ଏହାର ସୂଚନା ପୂର୍ବରୁ ହିଁ ଇଂରେଜମାନଙ୍କୁ ଦେଇଦେଇଥିଲା, ଯାହା ପରେ ଅନେକଙ୍କୁ ଗିରଫ କରାଯାଇଥିଲା । କରତାର ସିଂହ କାରାଗାରରୁ ଖସି ପଳାଇଥିଲେ, କିନ୍ତୁ ୨ ମାର୍ଚ୍ଚ, ୧୯୧୫ରେ ଭାରତୀୟ ସୈନିକମାନଙ୍କୁ ବିଦ୍ରୋହ ପାଇଁ ପ୍ରୋତ୍ସାହନ କରିବାକୁ ଚେଷ୍ଟା କରୁଥିବା ବେଳେ ଗିରଫ ହୋଇଥିଲେ । ତାଙ୍କୁ ଲାହୋର ଷଡ଼ଯନ୍ତ୍ର ମାମଲାରେ ଅନ୍ୟ ଗଦରପନ୍ଥୀଙ୍କ ସହ ମକଦ୍ଦମାର ସାମ୍ନା କରିବାକୁ ପଡ଼ିଥିଲା । ପରାମର୍ଶ ଦିଆଯିବା ସତ୍ତ୍ୱେ, ୧୯ ବର୍ଷୀୟ ଏହି ଶହୀଦ ମକଦ୍ଦମା ସମୟରେ ନିଜର ପକ୍ଷ ରଖିବାକୁ ମନା କରିଦେଇଥିଲେ । ଜଜ୍ କହିଥିଲେ ଯେ ସିଂହ ନିଜ ଦ୍ୱାରା କରାଯାଇଥିବା କାର୍ଯ୍ୟ ପାଇଁ ବହୁତ ଗର୍ବିତ ଥିଲେ ଏବଂ କୌଣସି ଅନୁତାପ ଦେଖାଇନଥିଲେ, ତାଙ୍କୁ "ସମସ୍ତ ବିଦ୍ରୋହୀଙ୍କ ମଧ୍ୟରେ ସବୁଠାରୁ ବିପଜ୍ଜନକ" ବୋଲି ବିବେଚନା କରାଯାଉ ।
ଏହାପରେ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିଲା । ୧୬ ନଭେମ୍ବର ୧୯୧୫ ରେ, କରତାର ସିଂହ ସରାଭା ମୁହଁରେ ହସ, ଆଖିରେ ଚମକ ଏବଂ ନିଜେ ରଚନା କରିଥିବା ଦେଶାତ୍ମବୋଧକ ଗୀତ ଗାଇ ଗାଇ ଫାଶୀ ଖୁଣ୍ଟରେ ଝୁଲି ପଡ଼ିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/10/59-2025-08-10-13-59-44.jpg)