କନକ ବ୍ୟୁରୋ : ପାକିସ୍ତାନର କରାଚି ସହରରେ ସ୍ୱାଧୀନତା ଦିବସ ପାଳନ ସମୟରେ ରକ୍ତପାତ ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ , ସ୍ୱାଧୀନତାର ଖୁସିରେ ମସଗୁଲ ଥିବା ଲୋକମାନେ ଯେତେବେଳେ ବେପରୁଆ ଭାବେ ଆକାଶମାର୍ଗକୁ ଗୁଳି ଚଳାଇବା ଆରମ୍ଭ କଲେ, ତାହା ମାରାତ୍ମକ ସାବ୍ୟସ୍ତ ହେଲା । ଏହି ଘଟଣାରେ ଗୁଳି ବାଜି ତିନି ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ନାଗରିକ ଏବଂ ଜଣେ ୮ ବର୍ଷର ନାବାଳିକା ମଧ୍ୟ ସାମିଲ ଅଛନ୍ତି ।
ଉଦ୍ଧାରକାରୀ ଅଧିକାରୀଙ୍କ ଅନୁଯାୟୀ, ଆକାଶମାର୍ଗକୁ ଗୁଳିମାଡ଼ ଘଟଣାରେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି , ଯେଉଁଠାରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ରାତି ହେବା ମାତ୍ରେ ଲୋକମାନେ ରାସ୍ତାକୁ ଓହ୍ଲାଇ ମୋଟରସାଇକେଲ ଓ ଗାଡ଼ିରେ ଶୋଭାଯାତ୍ରା କରୁଥିବା ସମୟରେ ଅନେକ ସ୍ଥାନରେ ଗୁଳିକାଣ୍ଡ ଆରମ୍ଭ ହୋଇଯାଇଥିଲା ।
ଆକାଶମାର୍ଗକୁ ଗୁଳି ଚଳାଇବା ଘଟଣା କରାଚିରେ ବାରମ୍ବାର ଘଟୁଛି । ଯାହା ଅନେକ ସମୟରେ ବିପଜ୍ଜନକ ସାବ୍ୟସ୍ତ ହେଉଛି । ସ୍ଥାନୀୟ ପ୍ରଶାସନ କହିଛି ଯେ ଅନେକ ସ୍ଥାନରେ ଗୁଳି ଚଳାଇଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି ଏବଂ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଏଭଳି ଉତ୍ସବରେ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର ନକରିବାକୁ ପୁଲିସ ନାଗରିକମାନଙ୍କୁ ନିବେଦନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/14/40-2025-08-14-12-05-50.jpg)