T20 Photograph: (GOOGLE)
କନକ ବ୍ୟୁରୋ: ୨୦୨୬ T20 ବିଶ୍ୱକପ୍ର ସବୁଠାରୁ ବଡ଼ ମୁକାବିଲା ପାଇଁ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ । କିୱି ଅଧିନାୟକ ମିଚେଲ ସାଣ୍ଟନର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅହମ୍ମଦାବାଦର ଏହି ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ଥିଲେ ମଧ୍ୟ ସନ୍ଧ୍ୟା ସମୟରେ କାକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ମହାମୁକାବିଲା ଉପରେ ସାରା ବିଶ୍ୱର ନଜର ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଏକ ଐତିହାସିକ ରେକର୍ଡ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।
ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ଭାଙ୍ଗିଛି ଭାରତର ସ୍ୱପ୍ନ
ଭାରତୀୟ ଦଳ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବାବେଳେ, ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲକୁ ଆସିଛି । ଭାରତ ପାଇଁ ସଞ୍ଜୁ ସାମସନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଜବରଦସ୍ତ ଫର୍ମରେ ଥିବାବେଳେ, ବୋଲିଂ ବିଭାଗରେ ଜସପ୍ରୀତ ବୁମରା ପ୍ରତିପକ୍ଷ ପାଇଁ ବିପଦ ସାଜିଛନ୍ତି । ଅପରପକ୍ଷରେ, ନ୍ୟୁଜିଲାଣ୍ଡ ପକ୍ଷରୁ ଫିନ୍ ଆଲେନ୍ ଏବଂ ରଚିନ ରବୀନ୍ଦ୍ର ଭାରତୀୟ ବୋଲରଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ଅଛନ୍ତି ।
ସଂଖ୍ୟା ଦୃଷ୍ଟିରୁ ଦେଖିଲେ, T20 ବିଶ୍ୱକପ୍ ଇତିହାସରେ ଭାରତ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ କୌଣସି ମ୍ୟାଚ୍ ଜିତିନାହିଁ । ତେଣୁ ଏହି 'ମେଗା ଫାଇନାଲ୍'ରେ ପୁରୁଣା ପରାଜୟର ପ୍ରତିଶୋଧ ନେବା ସହ ଟାଇଟଲ୍ ବଜାୟ ରଖିବା ଭାରତ ପାଇଁ ଏକ ବଡ଼ ସୁଯୋଗ । ୧.୪ ବିଲିୟନ ଭାରତୀୟଙ୍କ ଆଶା ଓ ଭରସାକୁ ସାଙ୍ଗରେ ଧରି ମୈଦାନକୁ ଓହ୍ଲାଇଛି ବ୍ଲୁ-ବ୍ରିଗେଡ୍ ।
Follow Us