କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ରବିବାର ଦୁବାଇ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା । ସେପଟେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଯଦି ଫାଇନାଲରେ ବର୍ଷା ହୁଏ, ତେବେ ମ୍ୟାଚ୍‌ ବାତିଲ ହେବା ଆଶଙ୍କା ରହିଛି । ଏଭଳି ସ୍ଥିତିରେ କଣ ନିଷ୍ପତ୍ତି ନିଆଯିବ ? ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ICC ଇଭେଣ୍ଟ୍‌ରେ ଫାଇନାଲ୍ ମ୍ୟାଚ୍‌ ନେଇ ICC ପୂର୍ବରୁ ନିୟମ ପ୍ରସ୍ତୁତ କରିସାରିଛି । 

Advertisment

ଯଦି ଫାଇନାଲ ମ୍ୟାଚ୍ ବେଳେ ବର୍ଷା ହୁଏ, ତେବେ ଓଭର ସଂଖ୍ୟା ହ୍ରାସ କରାଯାଇ ମ୍ୟାଚ୍ ଖେଳା ଯାଇପାରିବ । ବର୍ଷା ହେଲେ ଆଇସିସି ନିୟମ ଅନୁଯାୟୀ, ଫାଇନାଲ ମ୍ୟାଚ୍‌ରେ ଅତି କମରେ ୨୦ ଓଭର ଲେଖାଏଁ ଖେଳାଯିବା ଆବଶ୍ୟକ । ପ୍ରତ୍ୟେକ ଦଳ ୨୦-୨୦ ଓଭର ଖେଳିବେ । ଫାଇନାଲ ବର୍ଷା ପ୍ରଭାବିତ ହେଲେ, ନିର୍ଦ୍ଧାରିତ ସମୟ ପରେ ଓଭର ସଂଖ୍ୟା ହ୍ରାସ କରାଯାଇଥାଏ । ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ୍ ରବିବାର, ମାର୍ଚ୍ଚ ୯ରେ ଖେଳାଯାଇପାରିବ ନାହିଁ, ତେବେ ଏହା ରିଜର୍ଭ ଡେ ‘ରେ ଅନୁଷ୍ଠିତ ହେବ ।  ଫାଇନାଲ୍ ପାଇଁ ମାର୍ଚ୍ଚ ୧୦ ତାରିଖ ରିଜର୍ଭ ଡେ‘ ରହିଛି । ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଯଦି ଡ୍ର କିମ୍ବା ଟାଇ ହୁଏ, ତେବେ ଦୁଇ ଟିମ୍‌ ସୁପର ଓଭର ଖେଳିବେ । ସୁପର ଓଭରର ନିୟମ ଅନୁଯାୟୀ, ଉଭୟ ଦଳକୁ ଗୋଟିଏ ଓଭର ଖେଳିବାର ସୁଯୋଗ ମିଳିଥାଏ ।

ଗ୍ରୁପ୍ ପର୍ଯ୍ୟାୟରେ ଭାରତ ତା’ର ସମସ୍ତ ମ୍ୟାଚ୍ ଜିତିଥିଲା ।  ପ୍ରଥମେ ବାଂଲାଦେଶକୁ ଏବଂ ତା'ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଦଳ । ଟିମ୍ ଇଣ୍ଡିଆ ଗ୍ରୁପ୍ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ପରାସ୍ତ କରିଥିଲା । ଭାରତ ନ୍ୟୁଜିଲାଣ୍ଡକୁ ବିଜୟ ହେବାକୁ ୨୫୦ ରନର ଟାର୍ଗେଟ ଦେଇଥିଲା । ଜବାବରେ, ନ୍ୟୁଜିଲାଣ୍ଡ ଦଳ ୨୦୫ ରନ୍‌ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପାଇଁ ବରୁଣ ଚକ୍ରବର୍ତ୍ତୀ ଘାତକ ବୋଲିଂ କରିଥିଲେ । ସେ ୫ଟି ୱିକେଟ ନେଇଥିଲେ । ଏବେ ଉଭୟ ଦଳ ଫାଇନାଲରେ ପୁଣି ଥରେ ମୁହାଁମୁହିଁ ହେବେ ।