କନକ ବ୍ୟୁରୋ: ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ଜୁନ୍‌ ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ । ପ୍ରଥମ ଟେଷ୍ଟ ଲିଡ୍ସର ହେଡିଂଲେ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଭାରତର ସିନିଅର ଟିମ୍‌ ସହ ୧୯ ବର୍ଷରୁ କମ୍‌ ଦଳ ମଧ୍ୟ ଇଂଲଣ୍ଡରେ ସିରିଜ ଖେଳିବାକୁ ପହଞ୍ଚିଛି । ଆୟୁଷ ମହାତ୍ରେଙ୍କ ନେତୃତ୍ୱରେ ଦଳ ଇଂଲଣ୍ଡ ଗସ୍ତ କରିଛି । ଏହି ଦଳରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ସାମିଲ ରହିଛନ୍ତି, ଯିଏ ଗତ ଆଇପିଏଲ୍‌ ସିଜିନ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ।

Advertisment

ଆୟୁଷ ମହାତ୍ରେଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଜୁନ୍‌ ୨୪ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ଗୋଟିଏ ୫୦ ଓଭର ଅଭ୍ୟାସ ମ୍ୟାଚ, ୫ଟି ୟୁଥ୍‌ ଦିନିକିଆ ମ୍ୟାଚ୍ ଓ ଦୁଇଟି ମଲ୍ଟି ଡେ ମ୍ୟାଚ୍ ଖେଳିବ । କିନ୍ତୁ ଗସ୍ତ ଆରମ୍ଭ ହେବା ପୂର୍ବରୁ ହିଁ ଦୁଇଜଣ ଖେଳାଳିଙ୍କୁ ଶୁଭ ଖବର ଆସିନି । ଆହତ ଜନିତ ସମସ୍ୟା ଯୋଗୁଁ ଏହି ଦୁଇ ଖେଳାଳିଙ୍କୁ ଗସ୍ତ ଅଧାରୁ ଦଳ ଛାଡ଼ିବାକୁ ପଡ଼ିବ । ଟିମ୍‌ ଇଣ୍ଡିଆର ଜୁନିଅର ଦଳ ପାଇଁ ବିସିସିଆଇ ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛି ।  ଅଭ୍ୟାସ ବେଳେ ଆଦିତ୍ୟ ରାଣା ଓ ଖିଲନ ପଟେଲ ଆହତ ହୋଇଛନ୍ତି । ଏହି ଦୁଇ ଖେଳାଳିଙ୍କ ବଦଳରେ ନମନ ପୁଷ୍ପକ ଓ ଦୀପେଶ ଦଳରେ ସାମିଲ ହେବେ ବୋଲି ସୂଚନା ଦେଇଛି ବିସିସିଆଇ । ଏହି ଦୁଇ କ୍ରିକେଟର ଦଳରେ ଷ୍ଟାଣ୍ଡବାଇ ଖେଳାଳି ଭାବରେ ସାମିଲ ହୋଇଥିଲେ । 

ଆୟୁଷ ମହାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ସାମିଲ ଥିଲେ । ଗତ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ ପରେ ତାଙ୍କୁ ୧୯ ବର୍ଷରୁ କମ୍ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ମେଗା ନିଲାମୀରେ ମହାତ୍ରେଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନଥିଲେ ।  କିନ୍ତୁ ଅଧିନାୟକ ଋତୁରାଜ ଗାଏକୱାଡ ଆହତ ହେବା ପରେ ତାଙ୍କୁ ସିଏସ୍‌କେ ଦଳରେ ସାମିଲ କରାଯାଇଥିଲା । ଗାଏକୱାଡ ଦଳରୁ ଆଉଟ ହେବା ପରେ, ଏମଏସ ଧୋନି ଦଳର କମାଣ୍ଡ ସମ୍ଭାଳିଥିଲେ । ଯଦିଓ ସିଏସ୍‌କେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବାରେ ପ୍ରଥମ ଦଳ ଥିଲା, କିନ୍ତୁ ମହାତ୍ରେ ୭ ଇନିଂସରେ ୨୪୦ ରନ୍‌ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଇଂଲଣ୍ଡ ଗସ୍ତରେ ୧୯ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଛନ୍ତି । ସମସ୍ତଙ୍କ ନଜର ତାଙ୍କ ପ୍ରଦର୍ଶନ ଉପରେ ରହିବ । ସେ ଆଇପିଏଲରେ ୩୫ ବଲରେ ଶତକ ହାସଲ କରିଛନ୍ତି । ଏହା ଆଇପିଏଲ ଇତିହାସରେ କୌଣସି ଭାରତୀୟଙ୍କ ଦ୍ୱାରା ଦ୍ରୁତତମ ଶତକ । ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ବୈଭବ ଆଇପିଏଲରେ ୭ଟି ଇନିଂସରେ ୨୫୨ ରନ୍ କରିଥିଲେ ।