କନକ ବ୍ୟୁରୋ : ଭାରତରେ ଗଠନ ହେଉ ପୁରୁଷ କମିଶନ । ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଆଧ୍ୟତ୍ମିକ ଗୁରୁ ବାବା ବଳିଆ ଉଠାଇଛନ୍ତି ଏହି ପ୍ରସଙ୍ଗ । ବର୍ତ୍ତମାନ ପରିସ୍ଥିତିରେ ପରୁଷ ନିର୍ଯାତନା ବଢୁଛି , ଏଥିରେ ଉଦବେଗ ପ୍ରକାଶ କରି ପୁରୁଷ କମିଶନ ଗଠନ ଦାବିରେ ଯୁକି ରଖିଛନ୍ତି ।
ଦେଶରେ ବଢିଚାଲିଛି ପୁରୁଷ ନିର୍ଯାତନା । ଆଧ୍ୟାତ୍ମିକ ଗୁରୁ ବାବା ବଳିଆଙ୍କ ଆଶ୍ରମରେ ପହଞ୍ଚୁଛି ଅଭିଯୋଗର ଫର୍ଦ୍ଦ । ପୁରୁଷ କମିଶନ ନଥିବାରୁ ପୁରୁଷ ସମାଜ, ନ୍ୟାୟ ପାଇବା ପାଇଁ ସମସ୍ୟା ଭୋଗୁଥିବା କହିଛନ୍ତି ବାବା ବଳିଆ । ମହିଳାଙ୍କ ଭଳି ପୁରୁଷ ବି ନିର୍ଯାତନାର ଶିକାର ହେଉଛନ୍ତି । ନ୍ୟାୟିକ ବ୍ୟବସ୍ଥାରେ ପୁରୁଷଙ୍କୁ ନ୍ୟାୟ ମିଳୁନଥିବାରୁ ପୁରୁଷ କମିଶନର ଆବଶ୍ୟକତା ରହିଛି । କମିଶନ ଗଠନ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବେ ବୋଲି କହିଛନ୍ତି ବାବା ବଳିଆ ।
ପୁରୁଷ କମିଶନର ଆବଶ୍ୟକତା କ’ଣ ବାସ୍ତବରେ ଦରକାର । ଏହି କଥା ବୁଝିଲାବେଳକୁ ଆମେ ପହଞ୍ଚିଥିଲୁ କେନ୍ଦ୍ରାପଡାର ହିମାଂଶୁଙ୍କ ପାଖରେ । ଗତ କିଛି ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ହିମାଂଶୁ । ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ଧିରେ ଧିରେ ବଢିଲା ସମସ୍ୟା । ଶାଶୁ ଶ୍ବଶୁରଙ୍କ ସହ ହିମାଂଶୁଙ୍କ ପତ୍ନୀ ରହିବାକୁ ଚାହିଁଲେନି । ବଢିଲା ବିବାଦ । ବିବାହର ବହୁ ବର୍ଷ ପରେ ପତ୍ନୀ ଆଣିଲେ ଯୋତୁକ ନିର୍ଯାତନାର ଅଭିଯୋଗ । ଅଭିଯୋଗ ଆଧାରରେ ଜେଲ ବି ଗଲେ ହିମାଂଶୁ । ମାମଲା ଏବେବି କୋର୍ଟରେ ବିଚାରଧୀନ । ପରିସ୍ଥିତି ଏମିତି ହୋଇଛି ଯେ ନିଜ ପୁଅ ଝିଅଙ୍କୁ ଦେଖିବାର ସୁଯୋଗ ପାଉନାହାନ୍ତି ହିମାଂଶୁ । ଏପର୍ଯ୍ୟନ୍ତ ମିଳୁନି ନ୍ୟାୟ । ପୁରୁଷ କମିଶନ ଥିଲେ ସମସ୍ୟାର ସମାଧାନ ହୋଇପାରିଥାନ୍ତା ବୋଲି କହିଛନ୍ତି ହିମାଂଶୁ ।
ଏନସିଆରବିର ତଥ୍ୟ କହୁଛି, ୨୦୧୧ରୁ ୨୦୨୨ ଭିତରେ ମହିଳା ଆତ୍ମହତ୍ୟାଙ୍କ ତୁଳନାରେ ପୁରୁଷଙ୍କ ଆତ୍ମହତ୍ୟା ଦୁଇ ଗୁଣରୁ ଅଧିକ । ପୁରୁଷ ନିର୍ଯାତନା ଦିନକୁ ଦିନ ବଢ଼ିଚାଲିଥିବାବେଳେ ପୁରୁଷଙ୍କ ସମାଧାନ ପାଇଁ କମିଶନର ଆବଶ୍ୟକତା ଥିବା କହିଛନ୍ତି ବ୍ୟୋମକେଶ ତ୍ରିପାଠୀ । ମହିଳାଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ମହିଳା ଥାନା ଓ ମହିଳା କମିଶନ ରହିଛି । ତେବେ ପୁରୁଷ ଓ ମହିଳାଙ୍କ ଭିତରେ ପାତରଅନ୍ତର ନକରି ପୁରୁଷ କମିଶନ ଗଠନ କରିବାକୁ ଦାବି ହୋଇଛି ।