କନକ ବ୍ୟୁରୋ : ନଦୀ ଶର୍ଯ୍ୟାରେ  କୁଢ଼କୁଢ଼ ଆବର୍ଜନା । ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଯାଜପୁରର ଜୀବନ ଧାରା କୁହାଯାଉଥିବା ବୈତରଣୀ ପଠାରେ ପ୍ରତିଦିନ ଠୁଳ ହେଉଛି ସହରର ଆବର୍ଜନା । ଡମ୍ପିଂ ୟାର୍ଡ ପାଇଁ ଜହର ପାଲଟୁଛି ନଦୀ ଜଳ। ବର୍ଷା ଦିନେ ଅବର୍ଜନା ପାଣି ନଦୀରେ ମିଶୁଥିବାରୁ ରୋଗ ବ୍ୟାପିବାର ଭୟ ବଢ଼ିଛି । ଆଉ ଏହା ପଛରେ ରହିଛି ଯାଜପୁର ପୌରପାଳିକାର ହାତ। ଯାଜପୁର ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନଦୀ ପଠାରେ ହୋଇଛି ଡମ୍ପିଂୟାର୍ଡ । ଯାହା ନଦୀ ଜଳକୁ ପ୍ରଦୂଷିତ କରୁଛି । ବାରମ୍ବାର ଦାବି ପରେ ବି ଡମ୍ପିଂୟାର୍ଡକୁ ବନ୍ଦ କରୁନି ପୌରପାଳିକା । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ଏନେଇ ପୌରପାଳିକାର ଅଧିକାରୀଙ୍କୁ ଅବଗତ କରାଯବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ। 

Advertisment

ବୈତରଣୀ ନଦୀ କୂଳରେ ରହିଛି ପ୍ରାଚୀନ ଉତ୍କଳର ଅନେକ କୀର୍ତ୍ତିମାନ । ବରାହ ମନ୍ଦିର, ନୃସିଂହ ମନ୍ଦିର, ସୂର୍ଯ୍ୟ ମନ୍ଦିର, ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରର ତୀର୍ଥଯାତ୍ରୀ ବୈତରଣୀରେ ବୁଡ଼ ପକାଇଥାନ୍ତି । କିନ୍ତୁ ଆବର୍ଜନା ପାଇଁ ପାଣି ଦୁର୍ଗନ୍ଧ ହେଉଥିବାରୁ ନାଟ ଟେକୁଛନ୍ତି ଲୋକେ । ବ୍ୟାରେଜ ଓ ତୁଠ ନିର୍ମାଣ ହୋଇଥିଲେ ମଧ୍ୟ ପାଣିକୁ ସୁଦ୍ଧ ରଖିବାକୁ କୌଣସି ବ୍ୟବସ୍ଥା ହେଉନାହିଁ । ଯାହାକୁ ନାପସନ୍ଦ କରିଛନ୍ତି ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ।