କନକ ବ୍ୟୁରୋ : ମାଣିକ୍ୟ ରାଓ । ଠିକ୍ ଭାବେ ଚାଲି ପାରୁନାହାନ୍ତି । ଆଶାବାଡ଼ି ବିନା ଚାଲିବା ଅସମ୍ଭବ । ନିଜକୁ ୮୦% ଦିବ୍ୟାଙ୍ଗ ବୋଲି ପ୍ରମାଣ ଦେବାକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଛନ୍ତି । ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଲେ ବର୍ଦ୍ଧିତ ଭତ୍ତା ମିଳବ । ଏବେ ୪୦% ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥିବାରୁ ବ୍ୟାଟେରୀ ଚାଳିତ ଗାଡ଼ି କି ୩୫ଶହ ଟଙ୍କା ଭତ୍ତା ମିଳୁନାହିଁ । ମାଣିକ୍ୟଙ୍କ ଭଳି ଅନେକ ବୃଦ୍ଧବୃଦ୍ଧା ଓ ଯୁବକ ଯୁବତୀ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଡାକ୍ତରଖାନାରେ ଭିଡ଼ ଲଗାଇଛନ୍ତି । ହେଲେ ଏମାନଙ୍କ ବସିବା ପାଇଁ କୌଣସି ସୁବିଧା ନାହିଁ । କିଏ ସଂପର୍କୀୟ ସାହାରାରେ ଘଣ୍ଟାଘଣ୍ଟା ଧରି ଠିଆହୋଇ ରହୁଛନ୍ତି ତ ଆଉ କିଏ ତଳେ ବସିଥିବା ଦେଖିବାକୁ ମିଳିଛି ।
୨୦୧୬-୧୭ରୁ ସରକାର ୟୁ.ଡି.ଆଇ.ଡି. ସାର୍ଟିଫିକେଟ ବାଧ୍ୟତାମୂଳକ କରିଥିଲେ । ବର୍ଦ୍ଧିତ ଭତ୍ତା ଦେବା ପାଇଁ ଚଳିତବର୍ଷ ମାର୍ଚ୍ଚ ମାସରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିଛନ୍ତି ରାଜ୍ୟ ସରକାର । ତେଣୁ ପ୍ରମାଣପତ୍ର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ମେଡିକାଲ ବୋର୍ଡରେ ଅସମ୍ଭବ ଭିଡ଼ ଜମୁଛି ।
ପ୍ରତ୍ୟେକ ମାସ ଦ୍ୱିତୀୟ ଓ ଚତୁର୍ଥ ଶୁକ୍ରବାର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ହୋଇଥାଏ ଦିବ୍ୟାଙ୍ଗଙ୍କ ପାଇଁ ମେଡିକାଲ ବୋର୍ଡ । ସେହିଦିନ ମେଡିକାଲକୁ ଆସୁଥିବା ଦିବ୍ୟାଙ୍ଗଙ୍କ ପାଇଁ କିଛି ସୁବିଧା କରାଯାଉନଥିବା ଅଭିଯୋଗ ହୋଇଛି।