କନକ ବ୍ୟୁରୋ: ଆଗକୁ ବଢିବ ଲୋକସଭା ଆସନ । ଓଡିଶାରେ ୨୧ ବଦଳରେ ୨୮ ହେବ ଆସନ! ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ କହୁଛି, ୨୦୨୬ ପୁନଃ ସୀମାନିର୍ଦ୍ଧାରଣ ସହିତ ବଢିବ ଦେଶର ସାଂସଦଙ୍କ ସଂଖ୍ୟା। ଲୋକସଭା ଆସନ ବଢି ୮୪୮କୁ ଛୁଇଁପାରେ । ଏହି କ୍ରମରେ ଓଡିଶା ଲୋକସଭା ଆସନ ସଂଖ୍ୟା ୨୧ରୁ ୨୮କୁ ବଢିପାରେ । ତେବେ ଏହାରି ଭିତରେ ସବୁଠୁ ଅଧିକ ଆସନ ହେବ ଉତ୍ତରପ୍ରଦେଶର, ଏହାପରେ ମହାରାଷ୍ଟ୍ର, ତାମିଲନାଡୁ ଓ ବିହାର ରହିପାରେ । ସେହିଭଳି ଆନ୍ଧ୍ର ଓ ତେଲେଙ୍ଗାନାରେ ୫୪, ପଶ୍ଚିମବଙ୍ଗରେ ଲୋକସଭା ଆସନ ସଂଖ୍ୟା ୬୦ ହୋଇପାରେ ।
- ଆଗକୁ ବଢିବ ଲୋକସଭା ଆସନ
- ଓଡିଶାରେ ୨୧ ବଦଳରେ ୨୮ ହେବ ଆସନ!
- ୨୦୨୬ ସୀମା ପୁନଃନିର୍ଦ୍ଧାରଣକୁ ନେଇ କଳ୍ପନା ଜଳ୍ପନା
- ଜାତୀୟ ଗଣମାଧ୍ୟମରେ ବଢିଲା ଚର୍ଚ୍ଚା
ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ବଡ ବାଧକ ଜନଗଣନା । ଏଯାଏଁ କେନ୍ଦ୍ର ଏହି ପ୍ରକ୍ରିୟା ଆରମ୍ଭ କରିନି । ଯଦି ୨୦୨୬ରେ ଜନଗଣନା ହୁଏ ତେବେ ଲୋକସଭା ସହିତ ଅନୂରୁପ ହାରରେ ବିଧାନସଭା ସିଟ ମଧ୍ୟ ବଢିବ । ଅତେବ ଓଡିଶା ବିଧାନସଭା ଆସନ ସଂଖ୍ୟା ୧୯୬ ଛୁଇଁପାରେ । ଆହୁରି ସ୍ପଷ୍ଟ ଭାବେ କହିବାକୁ ଗଲେ, ଏସବୁ କାର୍ୟ୍ୟକାରୀ କରାଗଲେ ଆହୁରି ଅଧିକ ୪୯ ବିଧାୟକଙ୍କୁ ଓଡିଶା ନିର୍ବାଚିତ କରିବ । ତେଣୁ ପ୍ରଶ୍ନ ଉଠୁଛି, ବର୍ତମାନ ବିଧାନସଭାରେ ଏତେ ଅଧିକ ବିଧାୟକ ବସିବାକୁ ସ୍ଥାନ ଅଛି ତ? ବିଧାନସଭା ଆକାର ବଢେଇବା ପାଇଁ ଚିନ୍ତା କଲେଣି କି ସରକାର ?
୧୯୭୭ ମସିହା ପରେ ଦେଶରେ ଲୋକସଭା ଆସନ ସଂଖ୍ୟା ବଢିନି । ଯଦିଓ ଓଡିଶାରେ ୨୦୦୯ରେ ନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀଗୁଡିକର ସୀମା ପୁନଃନିର୍ଦ୍ଧାରଣ ଆଂଶିକ କରାଯାଇଛି । ତେଣୁ ଏବେଠୁ ରାଜନୈତିକ ଚର୍ଚ୍ଚା ହେଲାଣି, କେଉଁ ନିର୍ବାଚନ ମଣ୍ଡଳୀ ଭାଙ୍ଗିବ ଓ କେଉଁ ନୂଆ ଆସନ ଜନ୍ମ ନେବ?