କନକ ବ୍ୟୁରୋ : ଧୁର୍ତ୍ତ କର୍ପୋରେଟ ଦଲାଲ ବଣ୍ଟି-ବବଲୀଙ୍କ ବୟାନ ରେକର୍ଡ ପାଇଁ କୋର୍ଟରେ ଆବେଦନ କରିଛି ଆୟକର ବିଭାଗ। ଅନୁମତି ମିଳିବା ପରେ, ଝାରପଡା ଜେଲ ଭିତରେ ଉଭୟଙ୍କ ବୟାନ ରେକର୍ଡ କରାଯିବ। ଏନେଇ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଏମାନଙ୍କ ପଛରେ ଥିବା ମାଷ୍ଟରମାଇଣ୍ଡ ବାବଦରେ ହେବ ଖୋଳତାଡ। ବେନାମୀ ସମ୍ପତ୍ତି ଓ ଦେଶ ବାହାରେ କାରବାର ହୋଇଥିବା ଟଙ୍କାର ଉତ୍ସ ଜାଣିବାକୁ ଚାହୁଁଛି ତଦନ୍ତକାରୀ ସଂସ୍ଥା। ଏହାସହ ଜଣେ ଖଣି ବେପାରୀଙ୍କ ସହ ମିଶି ହାଉଲା ଟଙ୍କା କାରବାରର ଗନ୍ଧ ମଧ୍ୟ ପାଇଛି ଆଇଟି ବିଭାଗ।
ବଣ୍ଟି ବବଲିଙ୍କ କାରନାମାକୁ ନେଇ ରାଜଧାନୀ ଉଠୁଛି ପଡୁଛି। ଖଣି ବେପାରୀଙ୍କଠାରୁ ଆରମ୍ଭ କରି ବିଲଡର, କଣ୍ଟ୍ରାକ୍ଟରଠୁ ରାଜନେତା। ସମସ୍ତଙ୍କ ଭିତରେ କୋକୁଆ ଭୟ। କିଏ ଜାଣେ କେତେବେଳେ କାହାକୁ କେଉଁ ମୁହୁର୍ତରେ ଆୟକର ବିଭାଗରୁ ଡାକରା ଆସିବ। ତଦନ୍ତ ଯେତିକି ବଢୁଛି ଏହି ଦଲାଲ ଦମ୍ପତିଙ୍କ ସଂପର୍କରେ ଥିବା ହେଭିୱେଟ୍ ସେତିକି ଛାନିଆ ହେଉଛନ୍ତି। ରାଜନେତାଙ୍କ ଛାତି ଧଡପଡ କରୁଥିବା ଏହି କର୍ପୋରେଟ୍ ଦଲାଲ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତିଙ୍କ ଆକାଉଣ୍ଟ ଟ୍ରାନଜାକ୍ସନ ଦେଖି ଆୟକର ବିଭାଗ ବି ତାଜୁବ। ଏଥିରେ ଛନ୍ଦି ହୋଇଥିବା ୫୦ରୁ ଅଧିକ ଲୋକଙ୍କ ତାଲିକା ପ୍ରସ୍ତୁତ କରି ଧାଡି ଧାଡି କରି ଅଫିସ ଡାକି ଜେରା କରିବାକୁ ଯୋଜନା ଚାଲିଛି। ଏହାରି ଭିତରେ ବିଲଡର, ଠିକାଦାର, ବ୍ୟବସାୟୀ, ଅନିଲଙ୍କ ଆକାଉଣ୍ଟାଣ୍ଟ, ଲିଆସନିଂ ଅଫିସର, ଡ୍ରାଇଭର ଓ ହଂସିତାଙ୍କ ସ୍ୱାମୀମାନଙ୍କୁ ଜେରା ସରିଛି। ଦେଖିବାର କଥା ଆଗକୁ କାହା ପାଳି ପଡୁଛି।