କନକ ବ୍ୟୁରୋ : ବର୍ତ୍ତମାନ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରେ ରିଫଣ୍ଡ୍ ପାଇପାରିବେ । ଆୟକର ବିଭାଗ ପକ୍ଷରୁ ପ୍ରକ୍ରିୟାକୁ ସରଳ ଓ ଦ୍ରୁତ କରାଯାଇଥିବାରୁ ଏହା ସମ୍ଭବ ହୋଇପାରିଛି । ଯଦି ଆପଣ ମଧ୍ୟ ଶୀଘ୍ର ରିଫଣ୍ଡ୍ ପାଇବାକୁ ଚାହୁଁଛନ୍ତି , ତେବେ ଜାଣନ୍ତୁ ଏହାର ପ୍ରକ୍ରିୟା ।
ଶୀଘ୍ର ରିଫଣ୍ଡ୍ ପାଇବା ପାଇଁ କ'ଣ କରିବେ?
୧. ସଠିକ୍ ସମୟରେ ITR ଦାଖଲ : ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖକୁ ଅପେକ୍ଷା କରନ୍ତୁ ନାହିଁ । ଯେତେ ଶୀଘ୍ର ଆପଣ ITR ଫାଇଲ୍ କରିବେ, ସେତେ ଶୀଘ୍ର ଆପଣଙ୍କ ରିଫଣ୍ଡ୍ ପ୍ରକ୍ରିୟା ଆରମ୍ଭ ହେବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ITR ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୧୫, ୨୦୨୫ ରହିଛି ।
୨. ଇ-ଭେରିଫିକେସନ୍ ବାଧ୍ୟତାମୂଳକ: ITR ଫାଇଲ୍ କରିବା ପରେ ତାହାକୁ ଇ-ଭେରିଫାଏ କରିବା ଅତ୍ୟନ୍ତ ଜରୁରୀ । ବିନା ଭେରିଫିକେସନ୍ରେ ଆପଣଙ୍କ ITR ଅସମ୍ପୂର୍ଣ୍ଣ ବୋଲି ଧରାଯିବ । ଆଧାର OTP, ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ଏହାକୁ ସହଜରେ ଇ-ଭେରିଫାଏ କରିପାରିବେ । ଇ-ଭେରିଫିକେସନ୍ ପରେ ହିଁ ଆୟକର ବିଭାଗ ଆପଣଙ୍କ ରିଟର୍ଣ୍ଣକୁ ପ୍ରକ୍ରିୟାକରଣ କରିଥାଏ ।
୩. ସଠିକ୍ ବ୍ୟାଙ୍କ ଆକାଉଣ୍ଟ୍: ITR ଫର୍ମରେ ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର, IFSC କୋଡ୍ ଏବଂ ଅନ୍ୟାନ୍ୟ ତଥ୍ୟ ସଠିକ୍ ଭାବରେ ଦିଅନ୍ତୁ । ଏହା ସହିତ, ଆପଣଙ୍କ ପାନ୍ କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ୍ ସଂଯୋଗ ହୋଇଥିବା ନିଶ୍ଚିତ କରନ୍ତୁ । ଯଦି ତଥ୍ୟରେ କୌଣସି ଭୁଲ୍ ଥାଏ, ତେବେ ରିଫଣ୍ଡ ଆସିବାରେ ବିଳମ୍ବ ହୋଇପାରେ ।
୪. ସମସ୍ତ ତଥ୍ୟର ସଠିକ୍ ଦେବା ଆବଶ୍ୟକ : ଫର୍ମ 16, ଫର୍ମ 26AS, ଏବଂ ବାର୍ଷିକ ସୂଚନା ବିବରଣୀ (AIS) ରେ ଥିବା ତଥ୍ୟ ସହ ଆପଣଙ୍କ ଦ୍ଵାରା ଦାଖଲ କରାଯାଇଥିବା ତଥ୍ୟ ମେଳ ଖାଇବା ଉଚିତ୍ । କୌଣସି ଅମେଳ ଦେଖାଗଲେ ରିଫଣ୍ଡ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ ।
କିପରି ITR ଫାଇଲ୍ କରିବେ ?
• ପ୍ରଥମେ ଆୟକର ବିଭାଗର ଅଫିସିଆଲ୍ ଇ-ଫାଇଲିଂ ପୋର୍ଟାଲକୁ ଯାଇ ନିଜ ପାନ୍ (PAN) ନମ୍ବର ସାହାଯ୍ୟରେ ଲଗଇନ୍ କରନ୍ତୁ ।
• 'e-File' ଟ୍ୟାବକୁ ଯାଇ 'File Income Tax Return' ବିକଳ୍ପ ଚୟନ କରନ୍ତୁ ।
• ଆସେସ୍ମେଣ୍ଟ୍ ବର୍ଷ (ଯେପରିକି ୨୦୨୫-୨୬) ଏବଂ 'ଅନଲାଇନ୍' ଫାଇଲିଂ ମୋଡ୍ ବାଛନ୍ତୁ ।
• ଆପଣଙ୍କ ଆୟର ଉତ୍ସ ଅନୁଯାୟୀ ସଠିକ୍ ITR ଫର୍ମ (ଯେପରିକି ITR-1 କିମ୍ବା ITR-4) ବାଛନ୍ତୁ ।
• ପୂର୍ବରୁ ପୂରଣ ହୋଇଥିବା ସମସ୍ତ ତଥ୍ୟକୁ ଭଲ ଭାବରେ ଯାଞ୍ଚ କରନ୍ତୁ ଏବଂ ଆବଶ୍ୟକୀୟ ପରିବର୍ତ୍ତନ କରନ୍ତୁ ।
• ସବୁକିଛି ଠିକ୍ ଭାବେ ପୂରଣ କରିବା ପରେ ରିଟର୍ଣ୍ଣକୁ ଦାଖଲ କରନ୍ତୁ ଏବଂ ତୁରନ୍ତ ଇ-ଭେରିଫାଏ କରନ୍ତୁ ।
ଏହି ସରଳ ପଦକ୍ଷେପଗୁଡ଼ିକ କରି ନିଜ ଆୟକର ରିଫଣ୍ଡ ଖୁବ୍ ଶୀଘ୍ର ପାଇପାରିବେ ।