କନକ ବ୍ୟୁରୋ: ୨୦୨୬ ମସିହା ଏପ୍ରିଲ ୧ ତାରିଖରୁ ଆୟକର ଅଧିକାରୀମାନେ ଯେକୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍, ବ୍ୟାଙ୍କ, ଅନଲାଇନ୍ ନିବେଶ, ବିଜନେସ୍ ଆକାଉଣ୍ଟକୁ ଯାଞ୍ଚ କରିବା ସହିତ ଏହାର ତଦନ୍ତ କରିପାରିବେ।
ମିଳିଥିବା ରିପୋର୍ଟ ମୁତାବକ , ଯଦି କୌଣସି କର୍ତ୍ତୃପକ୍ଷ ସନ୍ଦେହ କରନ୍ତି ଯେ, କୌଣସି ବ୍ୟକ୍ତି ଆୟକର ଫାଙ୍କି ଦେଇଛନ୍ତି ଏବଂ ସେହି ବ୍ୟକ୍ତିଙ୍କ ପାଖରେ କୌଣସି ଅଘୋଷିତ ଆୟ, ଟଙ୍କା, ସୁନା, ଅଳଙ୍କାର କିମ୍ବା ମୂଲ୍ୟବାନ ଜିନିଷ କିମ୍ବା ସମ୍ପତ୍ତି ଅଛି, ଯେଉଁଥିରେ କି ଆୟକର ଆଇନ-୧୯୬୧ ଅନୁଯାୟୀ ପ୍ରଯୁଜ୍ୟ ଆୟକର ପୈଠ କରାଯାଇ ନାହିଁ, ତେବେ ସେମାନେ ଡିଜିଟାଲ୍ ପ୍ଲାଟଫର୍ମର ପ୍ରବେଶକୁ ଓଭରରାଇଡ୍ କରିପାରିବେ।
ବର୍ତ୍ତମାନ ପ୍ରଚଳିତ ଆଇଟି ଆଇନ, ୧୯୬୧ର ଧାରା ୧୩୨ ଅନୁଯାୟୀ, ଏପର୍ଯ୍ୟନ୍ତ ଆୟକର କର୍ତ୍ତୃପକ୍ଷଙ୍କ ପାଖରେ ତଲାସି କରିବା ଏବଂ ସମ୍ପତ୍ତି ଏବଂ ଆକାଉଣ୍ଟ ବହି ଜବତ କରିବାର କ୍ଷମତା ଥିଲା । ତେବେ ଯଦି ଜଣେ ବ୍ୟକ୍ତିଙ୍କ ପାଖରେ କୌଣସି ଅପ୍ରକାଶିତ ଆୟ, ସମ୍ପତ୍ତି କିମ୍ବା ଡକ୍ୟୁମେଣ୍ଟ ଅଛି ଯାହାକୁ ସେ ଟିକସ ଫାଙ୍କିବା ପାଇଁ ଲୁଚାଉଛନ୍ତି, ତେବେ ଏଭଳି କ୍ଷେତ୍ରରେ ସେମାନଙ୍କୁ ଯେକୌଣସି ଦ୍ୱାର, ବାକ୍ସ କିମ୍ବା ଲକରର ତାଲା ଭାଙ୍ଗିବାକୁ ଅନୁମତି ଦିଏ । ତଥାପି, ନୂତନ ଆଇଟି ବିଲ୍ ଏହି କ୍ଷମତାକୁ ନାଗରିକଙ୍କ ମୋବାଇଲ୍ ଫୋନ୍ ଏବଂ କମ୍ପ୍ୟୁଟର ସିଷ୍ଟମକୁ ବିସ୍ତାର କରିଛି, ଯାହାକୁ ଏହା 'ଭର୍ଚୁଆଲ୍ ଡିଜିଟାଲ୍ ସ୍ପେସ୍' ବୋଲି କୁହାଯାଉଛି। ଅର୍ଥାତ୍, ପୂର୍ବରୁ କର୍ତ୍ତୃପକ୍ଷ କେବଳ ଭୌତିକ ସମ୍ପତ୍ତି ସନ୍ଧାନ ଏବଂ ଜବତ କରିବାର ଅଧିକାର ପାଇଥିଲେ, କିନ୍ତୁ ଏବେ ଏହାକୁ ଭର୍ଚୁଆଲ୍ ଡିଜିଟାଲ୍ ସ୍ପେସ୍ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି।