କନକ ବ୍ୟୁରୋ: ଦୀପାବଳି ଉତ୍ସବ ପାଳନ ବେଳେ ରାଜଧାନୀରେ ଅଘଟଣ । ବାଣ ଫୁଟାଇ ଆହତ ହେଲେ ସ୍ୱାମୀ-ସ୍ତ୍ରୀ । ଦମ୍ପତ୍ତିଙ୍କ ହାତ ଜଳିଥିବା ବେଳେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୫ରୁ ଅଧିକ ଲୋକ ବାଣ ନିଆଁରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଆହତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି। ସେହିଭଳି କଟକରେ ମଧ୍ୟ ବିଳମ୍ୱିତ ରାତି ସୁଦ୍ଧା ୨୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।
ଦୀପାବଳିରେ ବାଣ ଫୁଟାଇବା ବେଳେ ଅଘଟଣ । ସୋରର ବିଭିନ୍ନ ଅଞ୍ଚଳରୁ ନାବାଳକଙ୍କ ସମେତ ୧୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୀପାବଳୀକୁ ଲୋକେ ବହୁ ଆନନ୍ଦର ସହ ପାଳୁଥିବା ବେଳେ ବାଣ ଫୁଟାଇବା କାରଣରୁ ଏହିଭଳି ଅଘଟଣ ଘଟିଥିବା ଜଣାପଡିଛି । ବାଣ ଫୁଟାଇବା ବେଳେ ଅସାବଧାନତା ବଶତଃ କାହାର ହାତ, କାହାର ଗୋଡରେ ନିଆଁ ଲାଗି ଜଳି ଯାଇଛି । ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ଅଲୋକର ପର୍ବରେ ରାୟଗଡାରେ ଅଘଟଣ। ବାଣ ନିଆଁରେ ଜଳିଗଲା ପୂରା ଦୋକାନ। ରାଜ୍ୟ ରାଜପଥ ନିକଟ ଜଗନ୍ନାଥ ମନ୍ଦିର ସାହିରେ ଥିବା ସନ୍ତୋଷ ବେହେରାଙ୍କ ପାନ ଦୋକାନରେ ଖୋଲା ପେଟ୍ରୋଲ ବିକ୍ରି ସମୟରେ ଏଭଳି ଅଘଟଣ ହୋଇଛି। ବାଣ ନିଆଁ ପଡି ପୂରା ଦୋକାନ ଜଳି ଯାଇଛି । ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ରାୟଗଡା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଆଲୋକର ପର୍ବ ଦୀପାବଳି ପାଳନ ଭିତରେ ଅଘଟଣ। ବାଣ ନିଆଁ ପଡି ଯଜ୍ଞ ମଣ୍ଡପ ଜଳି ପାଉଁଶ ହୋଇ ଯାଇଛି। ବାଲିଅନ୍ତା ବ୍ଲକ ଜାଗେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ଯଜ୍ଞ ମଣ୍ଡପ ତୁଳିରେ ବାଣ ପଡି ଯାଇଥିଲା । ଫଳରେ ଯଜ୍ଞ ବେଦୀରେ ନିଆଁ ଲାଗି ସମ୍ପୂର୍ଣ୍ଣ ମଣ୍ଡପ ଜଳି ଯାଇଥିଲା । ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ପୁରୀ ସଦର ବାଟ ଗାଁ ରାଉତ ସାହିରେ ବାଣ ବିସ୍ପୋରଣ ଘଟି ଜଣେ ପ୍ରାଣ ହରାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ବାଣ ବିସ୍ପୋରଣରେ ଦୁଇ ନାବାଳକ ସହ ୩ ଜଣ ଗୁରୁତର ଆହତ ହୋଇଥିଲେ। ୩ ଆହତଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଆହତ ବୁଲା ବୁଲା ରାଉତ ନିଜ ଘରେ ବାଣ ବିକୁଥିବା ବେଳେ ଏହି ବିସ୍ଫୋରଣ ହୋଇଛି। ବାଣ କିଣିବାକୁ ଯାଇଥିବା ସଞ୍ଜୟ ଜେନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ୩ ଜଣକୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିବାବେଳେ ବୁଲା ରାଉତଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।