କନକ ବ୍ୟୁରୋ : ଘୁଷୁଡ଼ି ଘୁଷୁଡ଼ି ଭତ୍ତା ପାଇଁ ଆସିଥିବା ବୃଦ୍ଧ ଶ୍ରୀଧର ସାହୁଙ୍କ ଘରେ ପହଞ୍ଚଲେ କେନ୍ଦ୍ରାପଡ଼ା ବିଧାୟକ । ଗଣେଶ୍ଵର ବେହେରା ଶ୍ରୀଧରଙ୍କ ଭଲ ମନ୍ଦ ବୁଝିବା ସହ ତାଙ୍କୁ ସହଯୋଗ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶୃତିକୁ ଠିକ ଭାବେ କାର୍ଯ୍ୟ କରିବାକୁ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ । ମେଡ଼ିକାଲ ଟିମ୍ ଡାକି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । କନକ ନ୍ୟୁଜ୍‌ ଏହି ଖବରକୁ ସର୍ବ ପ୍ରଥମ ପ୍ରସାରଣ କରି ଲୋକଲୋଚନକୁ ଆଣିଥିବାରୁ ସେ ପ୍ରଶଂସା କରିଥିଲେ । ଆଜି ଶ୍ରୀଧରଙ୍କୁ ପାଲ, ହ୍ୱିଲ୍‌ ଚେୟାର ପ୍ରଦାନ କରାଯିବା ସହ ତାଙ୍କୁ ଆବାସ ଘର ଶୀଘ୍ର ଯୋଗାଇବାର ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରାପଡ଼ା କୋର ଗ୍ରାମର ଶ୍ରୀଧର ସାହୁ ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତକୁ ଯାଉଥିବା ଦୃଶ୍ୟ କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲାରେ ଭତ୍ତା ପାଇଁ ୮୦ ବର୍ଷୀୟ ବୃଦ୍ଧଙ୍କ ଘୁଷୁଡ଼ିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଲେ, ଘଟଣାକୁ ଗୁରୁତର ସହ ନେଇଛି ବିଭାଗ । ଆଗାମୀଦିନରେ ଭିନ୍ନକ୍ଷମଙ୍କୁ ହାତପାନ୍ତାରେ ସୁବିଧା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ । ସେହିପରି କେନ୍ଦ୍ରାପଡ଼ା ଘଟଣାର ତର୍ଜମା କରିବା ସହିତ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ଯାଉଥିବା ବୃଦ୍ଧଙ୍କ ଖବର କନକ ନ୍ୟୁଜରେ ପ୍ରସାରିତ ହେବା ପରେ ଏହାକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବୃଦ୍ଧଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ବୃଦ୍ଧଙ୍କୁ ହ୍ୱିଲ୍‌ ଚେୟାର୍‌ ଦେଇଛି ପ୍ରଶାସନ । ପକ୍କା ଘର ଓ ବିଜୁଳି ଯୋଗାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । କେନ୍ଦ୍ରାପଡ଼ା ବ୍ଲକ୍‌ କୋର ଗାଁର ୮୦ବର୍ଷୀୟ ବୃଦ୍ଧ ଶ୍ରୀଧର ସାହୁ ଭତ୍ତା ପାଇଁ ଅଧ କିଲୋମିଟର‌୍‌ ରାସ୍ତା ଘୁଷୁଡ଼ି ଘୁଷୁଡ଼ି ଯିବା ଘଟଣାକୁ ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏଥିରେ ହସ୍ତକ୍ଷେପ କରିଥିଲେ । ଜଷ୍ଟିସ୍‌ ସାହୁ ଏ ସଂପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଜିଲ୍ଲାଜଜ୍, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ସହିତ ଆଲୋଚନା କରିଥିଲେ ।