କନକ ବ୍ୟୁରୋ : ମନ୍ଦିରରୁ ବାହାରୁଥିବା ଫୁଲରୁ ତିଆରି ହେଉଛି ସୁଗନ୍ଧ ଅଗରବତୀ । ସମ୍ବଲପୁର ସ୍ଵଧାର ଗୃହ ମହିଳା ଏହାଦ୍ବାରା ଆତ୍ମନିର୍ଭରଶୀଳ ହେଉଛନ୍ତି । ସ୍ଵଧାର ଗୃହରେ ରହୁଥିବା ଅସହାୟ ମହିଳାମାନଙ୍କୁ ନେଇ ଗଠିତ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଅଗରବତି ତିଆରି ହେଉଛି । ବଜାରରେ ଯାହାର ଚାହିଦା କାହିଁରେ କେତେ । କେବଳ ଅଗରବତି ନୁହେଁ ବରଂ ଧୂପ, ଗୁଲାଲ ପ୍ରସ୍ତୁତ କରୁଛନ୍ତି ମହିଳା । ସମ୍ବଲପୁର ଧନକଉଡ଼ାରେ ରହିଥିବା ସ୍ୱଧାର ଗୃହ ଓ ପୁନମ ଏସଏଚଜି ମିଶି "ସମଲେଇ ଅଗରବତୀ ଉତ୍ପାଦନ କେନ୍ଦ୍ର" ଆରମ୍ଭ କରିଛନ୍ତି । ଅଗରବତୀ ପାଇଁ ସବୁଠାରୁ ବେଶୀ ଆବଶ୍ୟକ ହେଉଥିବା ଫୁଲ ବିଭିନ୍ନ ମନ୍ଦିରରୁ ଆଣୁଛନ୍ତି । ମନ୍ଦିରରେ ଚଢା ଯାଉଥିବା ଫୁଲ ବାସି ହେଲା ପରେ ଏହାକୁ ଆଣି କଞ୍ଚାମାଲ ଭାବେ ବ୍ୟବହାର କରୁଛନ୍ତି । ବାସିଫୁଲକୁ ଉତ୍ପାଦନ କେନ୍ଦ୍ରକୁ ଅଣାଯାଇ ଏହାକୁ ଭଲ ଭାବେ ଶୁଖାଯାଉଛି । ଏହା ପରେ ଏହାକୁ ୨ ପ୍ରକାର ଗ୍ରାଇଣ୍ଡର ମେସିନରେ ଗୁଣ୍ଡ କରାଯାଉଛି । ପରେ ଏହି ଗୁଣ୍ଡରେ ପ୍ରାକୃତିକ ଅଠା ମିଶ୍ରଣ କରାଯାଇ ଅଗରବତୀ ତିଆରି ମେସିନ ସାହାଯ୍ୟରେ ଅଗରବତୀ ତିଆରି ହେଉଛି ।
ଦୁର୍ଭାଗ୍ୟଜନକ ପରିସ୍ଥିତିର ଶିକାର ହୋଇ ଏଠାରେ ଅନ୍ତେବାସୀ ପାଲଟିଥିବା ମହିଳାମାନେ ସଶକ୍ତ ହୋଇପାରିଛନ୍ତି । ହେଲେ ଆବଶ୍ୟକୀୟ ବଜାର ବ୍ୟବସ୍ଥା ନଥିବା ଅନ୍ତେବାସୀ କହିଛନ୍ତି । ଅନ୍ୟପଟେ ମହାନଗର ନିଗମ ପକ୍ଷରୁ କୌଣସି ସହାୟତା ରାଶି ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ସେପଟେ ମେସିନ ଯୋଗାଇଥିବା କମ୍ପାନୀ ଉତ୍ପାଦିତ ହେଉଥିବା ଅଗରବତି ମଧ୍ୟ ନେଉନଥିବା ସୁପରିଟେଣ୍ଡଣ୍ଟ କହିଛନ୍ତି ।
ସାଧାରଣତଃ ମନ୍ଦିରରୁ ବାହାରୁଥିବା ଫୁଲକୁ ସମସ୍ତେ ଫୋପାଡ଼ିଦିଅନ୍ତି । କିନ୍ତୁ ମହିଳା ମାନଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।