କନକ ବ୍ୟୁରୋ: ନୂଆ ଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଓଡିଶା ପର୍ବ ୨୦୨୪’  । ଏହାର ଉଦ୍‌ଘାଟନନୀ ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ,ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ମାଝୀ କହିଥିଲେ, ଓଡିଶା ପର୍ବ ଅବସରରେ ଆପଣ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା, ଭଲପାଇବା ଏବଂ ଅଭିନନ୍ଦନ। ଆଜି ଠାରୁ ଆରମ୍ଭ ହେଉଥିବା ଏହି ତିନି ଦିନିଆ ଓଡିଶା ପର୍ବରେ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ଉତ୍ସବର ଶୋଭା ଏବଂ ଭବ୍ୟତାକୁ ବହୁଗୁଣରେ ବୃଦ୍ଧି କରିଛି। ଏଥିପାଇଁ ମୁଁ ମାନ୍ୟବର ରାଷ୍ଟ୍ରପତି ମହୋଦୟାଙ୍କୁ ଆପଣ ସମସ୍ତଙ୍କ ପକ୍ଷରୁ ସହୃଦୟ ଧନ୍ୟବାଦ ଜ୍ଞାପନ କରୁଛି। 

Advertisment

ଆଜି ଆରମ୍ଭ ହୋଇଥିବା ଏହି ତିନି ଦିନିଆ ଓଡିଶା ପର୍ବ ଓଡିଶାର ସାଂସ୍କୃତିକ ପରମ୍ପରା ଓ ଐତିହ୍ୟର ଏକ ମହାନ୍ ନିଦର୍ଶନ। ଆପଣମାନେ ଯେଉଁ ହଜାର ହଜାର ଓଡିଆ ଭାଇ ଭଉଣୀମାନେ, ଦେଶର ରାଜଧାନୀ ଦିଲ୍ଲୀରେ ଅନେକ ବର୍ଷ ଧରି ରହିଆସୁଛନ୍ତି, ଏହି ମହୋତ୍ସବ ହେଉଛି ଆପଣ ମାନଙ୍କ ପାଇଁ ଦିଲ୍ଲୀରେ ରହି ଓଡିଶାକୁ ଅନୁଭବ କରିବାର ଏକ ସୁନ୍ଦର ପ୍ରୟାସ। ମୁଁ ଜାଣେ, ଆପଣଙ୍କ ବେଶ ପୋଷାକ କି କାର୍ଯ୍ୟଧାରା ଯାହା ହେଉଥାଉନା କାହିଁକି, ଆପଣମାନଙ୍କ ହୃଦୟରେ ଓଡ଼ିଆପଣ ସବୁବେଳେ ବସା ବାନ୍ଧି ରହିଛି । ଓଡ଼ିଆ ଚେତନା ଆପଣଙ୍କ ଆତ୍ମାର ଗହଣା। ଓଡ଼ିଆ ପ୍ରେମ ଆପଣଙ୍କ ରକ୍ତରେ ଘର କରିଥିବା ଏକ ମିଠା ଅହଙ୍କାର। ଓଡ଼ିଆ ଚଳଣି ଆପଣଙ୍କ ମନର ମାନସାଙ୍କ।   
 
ଏଥିସହିତ  ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଆମେ ସମସ୍ତେ ଗର୍ବିତ ଯେ ଆମେ ସମସ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରେ ଜନ୍ମ ଲାଭ କରିଛୁ ଏବଂ ମହାନ ଓଡିଆ ଭାଷା ଓ ସଂସ୍କୃତିର ଉପାସକ। କେବଳ ଓଡିଶା ନୁହେଁ, ଓଡିଶା ବାହାରେ ମଧ୍ୟ ଏହି ସମୃଦ୍ଧ ପରମ୍ପରାକୁ ଆପଣମାନେ ପ୍ରଚାର ପ୍ରସାର କରୁଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ।  ଶ୍ରୀ ମୋହନ ମାଝୀ  କହିଥିଲେ ମୁଁ ବହୁତ ଖୁସି ଯେ ଆମ ସରକାର ଗଠନ ହେବାର ପ୍ରଥମ ଦିନ ହିଁ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ତା ପରଦିନ ସକାଳୁ, ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟଙ୍କ ସହିତ ମୁଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଓଡିଶାର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ୟ୍ୟ ଆରମ୍ଭ କରିଥିଲୁ । ପ୍ରଭୁଙ୍କ ସେବା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ସହିତ ରତ୍ନ ଭଣ୍ଡାରର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲୁ ।

୨୦୦ କୋଟି ଟଙ୍କାରେ ଏକ ସ୍ବତନ୍ତ୍ର ଓଡିଆ ଅସ୍ମିତା କର୍ପସ ପାଣ୍ଠି ଗଠନ କରାଯାଇଛି । କଳାକାର ମାନଙ୍କୁ ସହାୟତା ଦେବା ପାଇଁ ୭୨ କୋଟି ଟଙ୍କା ଏବଂ କିର୍ତ୍ତୀରାଜି ଗୁଡିକର ସଂରକ୍ଷଣ ପାଇଁ ୧୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ସହିତ ସ୍ବତନ୍ତ୍ର ଓଡିଆ ଅସ୍ମିତା ଭବନ, ଓଡିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା, ତାଳ ପତ୍ର ପୋଥୀର ସଂରକ୍ଷଣ ପାଇଁ ଏକ ବିଶ୍ବ ସ୍ତରୀୟ ମ୍ୟୁଜିୟମ ପ୍ରତିଷ୍ଠା ଆଦି ଅନେକ କାର୍ୟ୍ୟକ୍ରମ ଆମେ ହାତକୁ ନେଇଛୁ। ଓଡିଶାର ସାଂସ୍କୃତିକ ମର୍ୟ୍ୟାଦାର ସୁରକ୍ଷା ପାଇଁ ଆମ ସରକାର ପ୍ରତ୍ୟେକ ସ୍ତରରେ ପ୍ରତିଶ୍ରୁତିବଦ୍ଧ ଭାବରେ କାମ କରୁଛି ଓ କରିଚାଲିବ।  ଅଭିଭାଷଣ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଏହି ମନୋଜ୍ଞ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।