କନକ ବ୍ୟୁରୋ : ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା। ଏଠାରେ ସମସ୍ତ ଭିତ୍ତିଭୂମି ଥାଇ ବି ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳୁନାହିଁ । ମାତୃ ଶିଶୁ ଗୃହ, ଡିଜିଟାଲ୍‌ କାଉଣ୍ଟର୍‌, ବହିର୍ବିଭାଗ କାଉଣ୍ଟର, କାଫେ, ଆହାର କେନ୍ଦ୍ର ପରି ବିଭିନ୍ନ ବ୍ୟବସ୍ଥା ଅଛି । ହେଲେ ସ୍ୱାସ୍ଥ୍ୟକେନ୍ଦ୍ରର ମେରୁଦଣ୍ଡ ନାହିଁ। ବାହାରୁ ଚକାଚକ୍‌ ଦେଖାଯାଉଥିବା କୋଠାଟି ଭିତରୁ ଫମ୍ପା। ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକ ଡାକ୍ତର । ୪୬ ଡାକ୍ତର ବଦଳରେ ଅଛନ୍ତି ମାତ୍ର ୭ ଜଣ । ବେଡ୍‌ ନଥିବାରୁ ରୋଗୀ ତଳେ ପଡ଼ିଥିବାର ଦେଖିବାକୁ ମିଳୁଛି । ଏସବୁ ଡାକ୍ତରଖାନାର ବାସ୍ତବିକ ଚିତ୍ର ବୟାନ କରୁଛି । 

Advertisment

ମହିଳା ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଆଖି, ଚର୍ମ, ଇଏନଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି। ଫଳରେ ଚକ୍ଷୁ ବିଭାଗରୁ ଦିନେ ବି ତାଲା ଖୋଲୁନି ।  ପ୍ରସୂତି ବିଭାଗରେ ଷ୍ଟାଫ୍‌ ନର୍ସ ପ୍ରସୂତି କରାଉଥିବା ଅଭିଯୋଗ ହେଉଛି ।  ଏହି ଡାକ୍ତରଖାନା ଉପରେ ଚମ୍ପୁଆ, ଯୋଡ଼ା, ଝୁମ୍ପୁରା ବ୍ଲକ ସହ ମୟୂରଭଞ୍ଜ ଓ ଝାଡ଼ଖଣ୍ଡର ହଜାର ହଜାର ରୋଗୀ ନିର୍ଭରଶୀଳ। ହେଲେ ଡାକ୍ତର ଅଭାବ ଯୋଗୁଁ ସରକାରୀ ଡାକ୍ତରଖାନା ଉପରୁ ଲୋକଙ୍କ ଭରସା ତୁଟି ଯାଉଛି ।