କନକ ବ୍ୟୁରୋ : ବିଦ୍ୟାଳୟ ସ୍ତରରେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ବାଟବଣା ହୋଇଛି । କମ୍ପ୍ୟୁଟର ଶିକ୍ଷକଙ୍କୁ କାର୍ଯ୍ୟରୁ  ଅନ୍ତର କରାଯିବା ପରେ ଲକ୍ଷଲକ୍ଷ ଟଙ୍କାର କମ୍ପ୍ୟୁଟର ଓ ଅନ୍ୟ ସାମଗ୍ରୀ ନଷ୍ଟ ହେଉଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ସତ୍ତା ହରାଇଛି ଏହି ଯୋଜନା । ୨୦୧୪ରେ  ସରକାରୀ ଉଚ୍ଚ ବିଦ୍ୟାଳୟକୁ ୧୦ଟି ଲେଖାଏଁ କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲା । ଜଣେ ଲେଖାଏଁ କମ୍ପ୍ୟୁଟର ଶିକ୍ଷକଙ୍କୁ ଠିକାରେ ନିଯୁକ୍ତି ପାଇଥିଲେ । ୨୦୧୯ ଏପ୍ରେଲ ମାସରୁ ସେମାନଙ୍କୁ ଛଟେଇ କରିଦିଆଯାଇଛି । ଫଳରେ ସାରା ରାଜ୍ୟରେ ୪ହଜାର କମ୍ପ୍ୟୁଟର ଶିକ୍ଷକ ରୋଜଗାର ହରାଇଛନ୍ତି । ଏବଂ ସ୍କୁଲ କମ୍ପ୍ୟୁଟର ଲ୍ୟାବରେ ଖତ ଖାଉଛି ଶିକ୍ଷଣିୟ ଉପକରଣ ।

Advertisment

 ଖଲ୍ଲିକୋଟ୍‌ ବ୍ଲକର ୮ଟି ସ୍କୁଲରେ ୮୦ଟି କମ୍ପ୍ୟୁଟର ୬ବର୍ଷ ହେଲା ଅଚଳ ପଡ଼ିଛି । କିଛି ସ୍ଥାନରେ ସ୍କୁଲର କାମରେ ବ୍ୟବହାର ହେଉଛି । ସହାୟକ ଶିକ୍ଷକମାନେ ନିଜ ନିଜ କାମ କରୁଛନ୍ତି । ଆଉ କିଛି ସ୍କୁଲରେ କମ୍ପ୍ୟୁଟରରୁ ଜରି ହିଁ ଖୋଲା ଯାଇନାହିଁ । ପରୋକ୍ଷରେ ଲକ୍ଷଲକ୍ଷ ନଷ୍ଟ ହେଉଛି । 

ଭିତିଭୂମି ନଥାଇ ୫ଟି ନାମରେ ପୂର୍ବ ସରକାର କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ  କଲେ । ହେଲେ ବ୍ୟବହାରିକ ବିଧି ବ୍ୟବସ୍ଥା ନଥିବାରୁ ଓଡ଼ିଶାର ସମସ୍ତ ହାଇସ୍କୁଲରେ କମ୍ପ୍ୟୁଟର ଖତ ପାଲଟି ଯାଇଛି । ସରକାର ବଦଳିବା ପରେ ଉଚିତ୍ ପଦକ୍ଷେପ ନେଇ ସ୍ଥିତିରେ ସୁଧାର ଆଣିବେ ବୋଲି ଆଶା କରାଯାଉଛି।