କନକ ବ୍ୟୁରୋ : ବାୟୋଡିଗ୍ରେଡବୁଲ ଆଣ୍ଡ ନନ ୱଭେନ ବ୍ୟାଗ ପ୍ରଡକ୍ସନ ୟୁନିଟ୍‌ ଖୋଲି ଭଲ ରୋଜଗାର କରୁଛନ୍ତି ଜଣେ ମହିଳା ଉଦ୍ୟୋଗୀ । ନବରଙ୍ଗପୁର ଉମରକୋଟର ଡ଼ଙ୍ଗରିଗୁଡ଼ା ଠାରେ ଉଚ୍ଚ ଶିକ୍ଷିତା ମହିଳା ରିତୁ ମାହୁନ୍ତ ଏହି ୟୁନିଟ ସ୍ଥାପନ କରିଛନ୍ତି । କୃଷି ବିଜ୍ଞାନରେ ସ୍ନାତକ କରିବା ପରେ ଚାକିରି ପଛରେ ନପଡ଼ି ସେ ଏଭଳି ଏକ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି । ମୋଟ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସ୍ଥାପିତ ଏହି ୟୁନିଟରୁ ଦୈନିକ ୨ ରୁ ୩ କ୍ବିଣ୍ଟାଲ ବ୍ୟାଗ୍‌ ଉତ୍ପାଦନ ହେଉଛି । ଏହି ୟୁନିଟରେ ୨୫୦ ଗ୍ରାମ୍‌ରୁ ୨୫ କେଜି କ୍ଷମତା ବିଶିଷ୍ଟ ବ୍ୟାଗ୍‌ ପ୍ରସ୍ତୁତ କରାଯାଉଛି । ଗୋଟିଏ କେଜି ବ୍ୟାଗର ସର୍ବନିମ୍ନ ମୂଲ୍ୟ ୧୫୦ ଟଙ୍କା ଥିବାବେଳେ ଆକାର ଅନୁଯାୟୀ ମୂଲ୍ୟ ଧାର୍ଯ୍ୟ ରଖାଯାଇଛି ।

Advertisment

କର୍ଣ୍ଣ ଷ୍ଟାର୍ଚ୍ଚର ଗ୍ରାନ୍ୟୁଲ ଏହାର ମୁଖ୍ୟ କଞ୍ଚାମାଲ ହୋଇଥିବାରୁ ଏହା ସମ୍ପୂର୍ଣ ରୂପେ ଇକୋ ଫ୍ରେଣ୍ଡଲି ବ୍ୟାଗ୍‌। ରିତୁ ଗୁଜୁରାଟରୁ କଞ୍ଚାମାଲ ଆମଦାନୀ କରି ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି । ଉମରକୋଟ ଅଂଚଳର ୧୦ ଜଣ ମହିଳା କାର୍ଯ୍ୟରେ  ନିୟୋଜିତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଶୁନ୍ୟ ପ୍ଲାଷ୍ଟିକ ବ୍ୟବହାର କରାଯାଇ ବ୍ୟାଗ୍‌ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ବ୍ୟବସାୟୀ ମାନେ ରାୟପୁରରୁ ଏହି ବ୍ୟାଗ୍‌ ଚଢା ଦରରେ କିଣୁଥିଲେ । ଅର୍ଡର ଦେଇ ମାସକ ପରେ ପାଉଥିଲେ । ବର୍ତ୍ତମାନ ଅର୍ଡର ଦେବା ସଙ୍ଗେ ସଙ୍ଗେ ବ୍ୟାଗ୍‌ ପାଉଛନ୍ତି । କମ ମୂଲ୍ୟରେ ପାଉଥିବା କହିଛନ୍ତି ବ୍ୟବସାୟୀ । 

ରୋଜଗାର କରିବା ପାଇଁ ଲୋକମାନେ ଅନେକ ବାଟ ବାଛୁଛନ୍ତି । ହେଲେ ପରିବେଶ ଉପଯୋଗୀ ବ୍ୟାଗ୍‌ ପ୍ରସ୍ତୁତି କରି ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ଦେଉଛନ୍ତି ରିତୁ । ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।