କନକ ବ୍ୟୁରୋ : ମୂଲ ଟଙ୍କା ଖାଇଗଲେ ଦଲାଲ ।  ଜଣେ କି ଦୁଇ ଜଣ ନୁହଁ ଶତାଧିକ ଶ୍ରମିକଙ୍କ ଟଙ୍କା ହଡ଼ପ କରି ନେଇଛି ଠିକାଦାର ।  କାହାର ମନେରଗା ଟଙ୍କା ତ ଆଉ କାହାର ଆବାସ ଟଙ୍କା । ଏମିତି କି ଭତା ଟଙ୍କା ବି ଆକାଉଣ୍ଟରୁ ଗାଏବ ।  ଥାନାରେ ଅଭିଯୋଗ କରିବା ସହ ବ୍ୟାଙ୍କ ମ୍ୟାନେଜରଙ୍କୁ ଘେରିଛନ୍ତି ହିତାଧିକାରୀ । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଳକ ଅନ୍ତର୍ଗତ ମୁଷାପଦର ଗାଁ ।  ଗାଁର ଶତାଧିକ ଲୋକଙ୍କ ମୂଲ ଟଙ୍କା ବାଟ ମାରଣା ହୋଇଛି । ସୁଭଦ୍ରା ଯୋଜନା ଆବେଦନ ପାଇଁ ଆଧାରକାର୍ଡ଼ କେୱାଇସି ଅପଡେଟ୍ ବେଳେ ସାମ୍ନାକୁ ଆସିଛି ଠକାମିର କାରନାମା ।  ଜଣେ ଠିକାଦାର ଶ୍ରମିକଙ୍କ  ଅଜାଣତରେ ଜାଲ ଆକାଉଂଟ କରି ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି ।  ୭ ବର୍ଷ ହେଲା ଠିକାଦାର ଚନ୍ଦ୍ର ଶେଖର ରଥ ଏଭଳି କାରନାମା କରି ଆସୁଛି । ଜୟପୁର ସ୍ଥିତ ବ୍ୟାଙ୍କ  ଅଫ ବରୋଦାରେ ଜାଲ ଆକାଉଁଟ ଖୋଲି ଟଙ୍କା ଉଠାଇ ନେଉଛି ।  ଠକେଇ ଜାଣି ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ।  ବିଡ଼ିଓ ଓ ପ୍ରଶାସନିକ ଅଧିକାରୀ ଘଟଣାର ଛାନଭିନ୍ ଜାରି ରଖିଛନ୍ତି ।  ହେଲେ ବ୍ୟାଙ୍କ କି ପ୍ରଶାସନିକ ଅଧିକାରୀ କେହି ଏ ବାବଦରେ ଗଣମାଧ୍ୟମରେ ମୁହଁ ଖୋଲୁ ନାହାନ୍ତି । ତଦନ୍ତ ଚାଲିଛି କହି ଏଡ଼ାଇ ଯାଉଛନ୍ତି  ।