କନକ ବ୍ୟୁରୋ : ପାରଳାଖେମୁଣ୍ଡି ସହରରେ ରାସ୍ତା କଡ଼ରେ ବସୁଥିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବ । ଭେଣ୍ଡିଂ ଜୋନରେ ବିକ୍ରିବଟା ହେବ । ଏହାଦ୍ବାରା ନିୟନ୍ତ୍ରଣ ହୋଇପାରିବ ସହରର ଟ୍ରାଫିକ ସମସ୍ୟା । ହେଲେ ଆବଣ୍ଟନ ସମସ୍ୟା ଯୋଗୁଁ ଉଦେଶ୍ୟ ସାଧିତ ହୋଇପାରୁ ନାହିଁ । କାମରେ ଲାଗୁନି ୧୪୪ଟି ଦୋକାନ ଘର । ଭେଣ୍ଡିଂଜୋନ୍ ନିର୍ମାଣ ଆରମ୍ଭରୁ ହିଁ ଦୁର୍ନୀତିର ଗନ୍ଧ ବାରିଥିଲେ ବ୍ୟବସାୟୀ । ପୌରପରିଷଦ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ନିର୍ମାଣ ଦାୟିତ୍ବ ଦିଆଯାଇଥିବା ବେଳେ କିଛି ଠିକାଦାର କାମ କରୁଥିବା ଅଭିଯୋଗ ହୋଇଥିଲା ।
ପାରଳାଖେମୁଣ୍ଡିର ମେଡିକାଲ ଛକ ନିକଟରେ ୨୨ଟି ଓ ହାଟପଦା ଠାରେ ୧୨୨ଟି ଦୋକାନ ଗୃହ ନିର୍ମାଣ କରାଯାଇଛି । ଗୋଟିଏ ଦୋକାନ ଘର ପାଇଁ ପ୍ରାୟ ୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୩ରୁ କାମ ସରିଛି । ଏହି ଦୋକାନ ଗୃହ ଗୁଡ଼ିକ ଆବଣ୍ଟନ ନହୋଇ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏପଟେ ଭେଣ୍ଡିଂଜୋନ୍ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପୈାରନିର୍ବାହୀ ଅଧିକାରୀ ।
ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ରାସ୍ତା କଡ଼ର ଉଠା ଦୋକାନୀଙ୍କୁ ସ୍ଥାନାନ୍ତର କରିବା ନିହାତି ଆବଶ୍ୟକ । ତେଣୁ ତୁରନ୍ତ ଭେଣ୍ଡିଂ ଜୋନରେ ଥିବା ଦୋକାନ ଗୁଡ଼ିକୁ ହସ୍ତାନ୍ତର କରିବାକୁ ଦାବି ହୋଇଛି ।