କନକ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୮ ଶହ ୪୦ ଡାକ୍ତର ଓ ୫ ହଜାରରୁ ଅଧିକ ପାରାମେଡିକାଲ ଷ୍ଟାଫ । ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ କଲେଜରେ ପ୍ରଫେସର ପଦବୀ ମଧ୍ୟ ଖୁବ ଶୀଘ୍ର ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ଦିଆଯିବ । ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ଖୁବ ଶୀଘ୍ର ରାଜ୍ୟ ସରକାର ପୂରଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ମେଡିକାଲ କଲେଜରେ ପି.ଜି. ସିଟ ସଂଖ୍ୟା ବୃଦ୍ଧି, ମେଡିକାଲ କଲେଜର ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ ସେବା ଛଡ଼ା ଅନ୍ୟାନ୍ୟ ଆବଶ୍ୟକ ପଦବୀ ପୂରଣ ଓ ଟେକ୍ନିକାଲ ଷ୍ଟାଫଙ୍କ ନିଯୁକ୍ତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ବୈଠକରେ ଆଲୋଚନା କରି ଏଥିପାଇଁ ବିଭାଗୀୟ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।