କନକ ବ୍ୟୁରୋ : ମୋହନ ସରକାର ଦାୟିତ୍ବ ନେଉ ନେଉ ଆକ୍ସନ ମୋଡକୁ ଆସିଥିଲେ । ମୁଖ୍ୟ ଶାସନସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ କେତେ ଅବସରପ୍ରାପ୍ତ ଅଧିକାରୀ କେଉଁ କେଉଁ ଜାଗାରେ ଥାଇଥାନ ହୋଇଛନ୍ତି, ତାର ତାଲିକା ପ୍ରକାଶ କରିବାକୁ । ଏପରିକି ପାଦେ ଆଗକୁ ଯାଇ ସେପ୍ଟେମ୍ବର ୧୨, ୨୦୨୪ରେ ଏକ ନିର୍ଦ୍ଦେଶନାମା ଜାରି କରି ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତି ଉପରେ ରୋକ ଲଗାଇଥିଲେ । ହେଲେ ୯ ମାସ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଢ଼ୋକି ଦେଇଛନ୍ତି ପ୍ରଶାସନିକ ଅଧିକାରୀ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କୁ ଓଏସଡି ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବାକୁ ଆବେଦନ ଆହ୍ବାନ କରାଯାଇଛି । ଚିଠିରେ ଲେଖାଯାଇଛି..
- ପ୍ରଥମେ ନିଯୁକ୍ତି ଏକବର୍ଷ ପାଇଁ ଦିଆଯିବ
- କାର୍ଯ୍ୟ ସନ୍ତୋଷଜନକ ରହିଲେ ୩ ବର୍ଷ ଯାଏଁ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରିବ
- ସର୍ବାଧିକ ୪ ବର୍ଷ କିମ୍ବା ୬୫ ବର୍ଷ ବୟସ ଯାଏଁ ସମ୍ପୃକ୍ତ ଅଧିକାରୀ କାର୍ଯ୍ୟ କରିପାରିବେ
ଆଇନ ବିଭାଗର ଉପ-ସଚିବ ୯ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃନିଯୁକ୍ତି ପାଇଁ ଚିଠି ଲେଖିଛନ୍ତି । ରାଜ୍ୟରେ ଅନେକ ଅବସରପ୍ରାପ୍ତ ଅଧିକାରୀ ବିଭିନ୍ନ ବିଭାଗରେ ଥଇଥାନ ହୋଇଛନ୍ତି । କିଏ ନିୟମ ବାହାରେ ତ ଆଉ କିଏ ସୁପାରିଶ ଆଧାରରେ ବିଭିନ୍ନ ବିଭାଗରେ ବଡ ପଦ ମାଡ଼ିବସିଛନ୍ତି । ସେପଟେ ଲକ୍ଷ ଲକ୍ଷ ଯୁବକ ଏବେ ବି ଚାକିରି ଆଶାରେ ଅଛନ୍ତି । ବିଭାଗରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ମିଳୁଛି, ହେଲେ ଯୁବବର୍ଗଙ୍କ ନିଯୁକ୍ତି ଘୁଞ୍ଚି ଘୁଞ୍ଚି ଯାଉଛି । ଆଉ ଯାହା ବି ନିଯୁକ୍ତି ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ହେଉଛି । ଯାହାଫଳରେ ସରକାରଙ୍କ ଉପରେ ବଢ଼ି ଚାଲିଛି ବେକାରୀ ଚାପ।
ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ସଟକଟ୍ ଫର୍ମୁଲାରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେଉଛନ୍ତି ବଡବାବୁ । ଆଉ ଦର୍ଶାଉଛନ୍ତି ବିଭାଗରେ ଅଭିଜ୍ଞତା ସଂପର୍ଣ୍ଣ ଅଫିସରଙ୍କ ଅଭାବ ଯୋଗୁଁ କାମ ବାଧାପ୍ରାପ୍ତ ହେଉଛି ।