କନକ ବ୍ୟୁରୋ : ଚାକିରି ଛାଡି ଚାଷକାମ କରି ନିଜ ପାଇଁ ଓ ନିଜ ଗାଁ ପାଇଁ କିଛି କରିବାର ଆଶାକୁ ସଫଳ କରିଛନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକ । ପାଠପଢା ପରେ ରାଜ୍ୟ ବାହାରେ ରହି ଚାକିରି କରି ମୋଟା ଅଙ୍କରେ ଦରମା ପାଉଥିଲେ । ହେଲେ ଚାଷ କରିବାର ମୋହ ତାଙ୍କୁ ତାଙ୍କ ଜନ୍ମମାଟିକୁ ଫେରାଇ ଆଣିଛି । ଉନ୍ନତ ପ୍ରଣାଳିରେ ଚାଷ କରି ବିଦେଶ କୋଳି ନିଜ ଗାଁ ମାଟିରେ ଫଳାଇଛନ୍ତି । ନିଜେ ସ୍ବବାଲମ୍ବୀ ହେବା ସହ ନିଜ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ଗୋପପୁର ଗାଁର ଅଜିତ କୁମାର ମହାନ୍ତଙ୍କ ଚାଷ କାମ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । 

Advertisment

ଚାଷକୁ ପେଶା ଓ ନିଶାରେ ପରିଣତ କରିଛନ୍ତି ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ ଗୋପପୁର ଗାଁର ଉଚ୍ଚଶିକ୍ଷିତ ଯୁବକ ଅଜିତ କୁମାର ମହାନ୍ତ । ଜୈବିକ ପ୍ରଣାଳିରେ ଚାଷ କରି କିଭଳି ସେହି ଫସଲରୁ ଉତମ ପୋଷକତତ୍ବ ମିଳିପାରିବ ସେହି ପଦ୍ଧତି ଆପଣାଇଛନ୍ତି । ଅନ୍ୟ ଚାଷୀ ମାନଙ୍କୁ ମଧ୍ୟ ସେହି ପ୍ରଣାଳିରେ ଚାଷ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି । ଯାହା ଲୋକଙ୍କୁ ସୁସ୍ଥ ରଖିପାରିବ । ପାଖାପାଖି ୩୦ରୁ ୩୫ ଏକର ଜମିରେ ଚାଷ କରିଛନ୍ତି । ସେଥିରୁ କେବଳ ୧୦ ଏକର ଜମିରେ ସେ ବିଦେଶୀ ବରକୋଳି ଥାଇଲାଣ୍ଡ ଆପଲବେରି ଚାଷ କରିଛନ୍ତି । ବଜାରରେ ଅଜିତଙ୍କ ଫାର୍ମରୁ ଉତ୍ପାଦନ ହେଉଥିବା କୋଳିର ଚାହିଦା ଅଧିକ ରହିଥିବା ବେଳେ ଏହା ଢେଙ୍କାନାଳ, କଟକ, ଭୁବନେଶ୍ବର, କେନ୍ଦୁଝର, ଯାଜପୁର, ତାଳଚେର, କାମାକ୍ଷାନଗର ତେଲକୋଇ ଭଳି ସହରକୁ ରପ୍ତାନୀ ହେଉଛି । କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି କରି ସେ ଲାଭବାନ ହେଉଛନ୍ତି । 


ପାଠପଢ଼ା ଶେଷ କରିବା ପରେ ବାଙ୍ଗାଲୋରର ଏକ ହେଲଥକେୟାର କମ୍ପାନୀରେ ଚାକିରି କରୁଥିଲେ ଅଜିତ । ହେଲେ ଚାଷ କରିବାର ମୋହ ତାଙ୍କୁ ତାଙ୍କ ଜନ୍ମମାଟିକୁ ଫେରାଇ ଆଣିଥିଲା । ୨୦୨୧ ମସିହାରେ କଙ୍କଡ଼ାହାଡ଼ ବ୍ଲକ କନ୍ଧରା ଗାଁରେ ଆରମ୍ଭ କରିଥିଲେ ଚାଷ କାମ । କରୋନା କଟକଣା ସମୟରେ ସେ ତାଙ୍କ ଫାର୍ମରେ ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇଥିଲେ । ପାଖାପଖି ୧୦ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିବାବେଳେ ୨୫ରୁ ଅଧିକ ଲୋକ ପ୍ରତିଦିନ ତାଙ୍କ ଜମିରେ କାମ କରୁଛନ୍ତି । ହାତପାହାନ୍ତାରେ କାମ ମିଳୁଥିବାରୁ ସେମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି । 

ଖାଲି ବିଦେଶୀ ବରକୋଳି ଚାଷ ନୁହେଁ ସେ ତାଙ୍କ ଜମିରେ ତରଭୁଜ, ସଜନା, ଡ୍ରାଗନ ଫ୍ରୁଟ୍ସ ଚାଷ କରିଛନ୍ତି । ପ୍ରଥମେ ଚାରା କିଣୁଥିଲେ । ଏବେ କଲମିକରଣ କରି ଚାରା ରୋପଣ କରୁଛନ୍ତି । ଏକ ନର୍ସରୀ କରି ଚାରା ପ୍ରସ୍ତୁତ କରୁଛନ୍ତି । ତାଙ୍କର ଏଭଳି ଚାଷ କାମ ଅନ୍ୟ ଚାଷୀ ମାନଙ୍କ ପାଇଁ ଉଦାହରଣ ପାଲଟିଛି ।