କନକ ବ୍ୟୁରୋ: ଜାତୀୟ ମାନ୍ୟତା ଦୌଡ଼ରେ ଏବେ ରହିଛି ନବରଙ୍ଗପୁର ଜିଲ୍ଲା ର ରାଇଘରିଆ ଛେଳି । ଏ ନେଇ ନ୍ୟାସନାଲ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସ ନିକଟରେ ଛେଳି ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ଓୟୁଏଟି ତରଫରୁ ମଧ୍ୟ ଗବେଷଣା କରାଯାଇଛି ଏହାର ମାଂସ, ଦୁଗ୍ଧ, ଲେଣ୍ଡି ଖତ ପାଇଁ ପ୍ରସିଦ୍ଧ ରହିଛି ।
ନବରଙ୍ଗପୁର ରାଇଘର ବ୍ଳକରେ ଏହି ଦେଶୀ କିସମର ଛେଳି ଅଛନ୍ତି । ଅନ୍ୟ ଅଞ୍ଚଳରେ ଦେଖାଯାଉଥିବା ଛେଳିଠାରୁ ଏହା ସମ୍ପୂର୍ଣ ଭିନ୍ନ । କାରଣ ଏହାର ଦୁଗ୍ଧକୁ ଶିଶୁମାନେ ଖାଇପାରିବେ । ଉତ୍କୃଷ୍ଟ ଚମଡ଼ା, ଲେଣ୍ଡି ଖତ ଓ ମାଂସ ପାଇଁ ପ୍ରସିଦ୍ଧ ଥିବା ଓୟୁଏଟି ପକ୍ଷରୁ ଗବେଷଣାରୁ ଜଣାପଡ଼ିଛି । ଦୀର୍ଘବର୍ଷ ଧରି ଏହି ଛେଳିକୁ ବ୍ରିଡ୍ ମାନ୍ୟତା ଦେବାକୁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରୟାସ କରିଆସୁଛି । ବିଞ୍ଝାରପୁରୀ ଗାଈ ଓ ଚିଲିକା ମଇଁଷିକୁ ପୂର୍ବରୁ ଜାତୀୟସ୍ତରରେ ବ୍ରିଡ୍ ମାନ୍ୟତା ମିଳିଛି । ରାଇଘର ଛେଳିକୁ କିପରି ମାନ୍ୟତା ମିଳିବ ସେ ଦିଗରେ ଅଧିକ ଗବେଷଣା ଚାଲିଛି । ଏହି ଛେଳି ନବରଙ୍ଗପୁର ଜିଲ୍ଲା ଡାବୁଗାଁ, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି ବ୍ୟତୀତ ଓଡ଼ିଶା-ଛତିଶଗଡ଼ ସୀମାର ଦେଓଭୋଗର କିଛି ସ୍ଥାନରେ ଦେଖିବାକୁ ମିଳିଥାଏ । ସ୍ଥାନୀୟ ଅଂଚଳରେ ବସବାସ କରୁଥିବା ଭତରା ଓ ଗଣ୍ଡ ପ୍ରଜାତି ଅଧିବାସୀ ଛେଳି ପାଳନ କରି ପରିବାର ପ୍ରତିପୋଷଣ କରନ୍ତି ।
ଏହି ଛେଳି ମୁଖ୍ୟତଃ ନାଲି, ହାଲୁକା ଧୂସର, କଳା ଓ ଧଳା ରଙ୍ଗ ମିଶା ଧୂସର ରଙ୍ଗର । ୯ରୁ ୧୦ ମାସ ପରେ ଛେଳିଙ୍କ ଶରୀରରେ ପରିପକ୍ୱତା ଆସିଥାଏ । ପ୍ରତ୍ୟେକ ଥର ଏହି ଛେଳି ୨ରୁ ୩ଟି ଶାବକ ଜନ୍ମ ଦେଇଥାଆନ୍ତି । ବର୍ଷକରେ ଶାବକଟି ୧୭ରୁ ୧୮କେଜି ଓଜନ ହୋଇଥାଏ । ଗୋଟିଏ ଗୋଟିଏ ଛେଳି ପାଖାପାଖି ୩୨ କିଲୋ ପର୍ୟ୍ୟନ୍ତ ଓଜନ ହୋଇଥାଆନ୍ତି । ମାଈ ଛେଳି ଦୈନିକ ଅଧା ଲିଟରରୁ ଏକ ଲିଟର ପର୍ୟ୍ୟନ୍ତ କ୍ଷୀର ଦେଇଥାଆନ୍ତି । ଏହା ଏକ ମାଂସ ଜାତୀୟ ଛେଳି । ଗୋଟିଏ ଛେଳିଠାରୁ ବର୍ଷକୁ ୨୦୦ କିଲୋ ଲେଣ୍ଡି ମିଳେ । ଯାହା ଗାଈ ଗୋବରଠାରୁ ଅଢ଼େଇ ଗୁଣ ଅଧିକ ଶକ୍ତିଶାଳୀ ।
ବିଶେଷକରି ଏହି ପ୍ରଜାତିର ଛେଳି ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଛି । ସେଥିପାଇଁ ଏମାନେ କମ୍ ରୋଗାକ୍ରାନ୍ତ ହୁଅନ୍ତି । ଯାହାର କ୍ଷୀର ମଣିଷ ପାଇଁ ବେଶ୍ ଉପକାରୀ । ସେଥିପାଇଁ ଏହାର ଚାହିଦା ଅଧିକ। ଏହି ପ୍ରଜାତି ଛେଳିର ବ୍ରିଡକୁ ମାନ୍ୟତା ମିଳିଲେ ଛେଳି ଚାଷୀମାନେ ଅଧିକ ଉପକୃତ ହୋଇପାରିବେ ।