କନକ ବ୍ୟୁରୋ : ତାମିଲନାଡୁରେ ଫସିଛନ୍ତି ଓଡ଼ିଆ ଯୁବତୀ । ପୋଷାକ ତିଆରି କମ୍ପାନିରେ ୧୦ ଘଣ୍ଟା ଖଟୁଛନ୍ତି । ଦେହ ଅସୁସ୍ଥ ଥିଲେ ବି କାମ କରିବାକୁ ବାଧ୍ୟ କରୁଛନ୍ତି କମ୍ପାନି ମାଲିକ । ମିଳୁଛି ନିର୍ଯ୍ୟାତନା, ଘରକୁ ଯିବାକୁ କହିଲେ ଶୁଣିବାକୁ ମିଳୁଛି ଅଶ୍ଳୀଳ ଗାଳି । ସବୁଠୁ ନିରାଶ ହେବା ପରେ ଏବେ ଅଟକ ରହିବାର ଭିଡିଓ କରି ଘର ଲୋକଙ୍କ ପାଖକୁ ପଠାଇଛନ୍ତି ଫସିଥିବା ଯୁବତୀ । 

Advertisment

କୌଶଳ ବିକାଶ ତାଲିମ ଓ କର୍ମ ନିଯୁକ୍ତି ନାଁରେ ସୁନ୍ଦରଗଡ଼ରେ ହୋଇଛି ବଡ଼ ଠକେଇ । ଲେଫ୍ରିପଡା ବ୍ଲକର ପ୍ରାୟ ୯୦ ଜଣ ଝିଅଙ୍କୁ ନିଯୁକ୍ତି ନାଁରେ ତାମିଲନାଡୁକୁ ଚାଲାଣ କରାଯାଇଛି । ଖୋଦ ଜିଲ୍ଲା ପ୍ରଶାସନର ଜାଣତରେ ଏଭଳି ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି ଅବିଭାବକ । ପ୍ରଥମେ ଯୁବତୀମାନଙ୍କୁ କଟକରେ ୪୫ ଦିନିଆ ସିଲେଇ ତାଲିମ ଦିଆଯାଇଥିଲା । ଏହାପରେ ସେମାନଙ୍କୁ ତାମିଲନାଡୁ ନେଇ ପୋଷାକ ତିଆରି କମ୍ପାନିରେ ନିୟୋଜିତ କରାଯାଇଛି । ଯେଉଁଠି ନିର୍ୟାତନାର ଶିକାର ହେଉଛନ୍ତି ଓଡ଼ିଆ ଝିଅ । ଜିଲ୍ଲପାଳ ଓ ଲେଫ୍ରିପଡା ବିଡିଓଙ୍କୁ ଏନେଇ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁନି । ତେଣୁ ଜିଲ୍ଲପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଅବିଭାବକ ।

ତାଲିମ ଓ କର୍ମ ନିଯୁକ୍ତି ନାଁରେ ବଡ଼ ଠକେଇ । ତାମିଲନାଡୁରେ ଦାଦନ ଭଳି ଖଟୁଛନ୍ତି ଓଡ଼ିଆ ଯୁବତୀ। ସବୁ ଜାଣି ଚୁପ ବସିଛି ପ୍ରଶାସନ । ଏଠି ପ୍ରଶ୍ନ ଯୁବତୀଙ୍କୁ କିଏ ପଠାଇଲଶ ତାମିଲନାଡୁ ? ତାଲିମ ପାଇଁ କାହିଁକି ପ୍ରୋତ୍ସାହିତ କରୁଥିଲେ ବିଡିଓ ? ଫେରାଇ ଆଣିବାକୁ କେବେ ନିଆଯିବ ପଦକ୍ଷେପ ?