କନକ ବ୍ୟୁରୋ : ସିରିଆରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ସପ୍ତାହେ ହେବ ଦେଶରେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ବିରୋଧରେ ଇସଲାମବାଦୀ ହୟାତ ତହରିର ଅଲ୍-ଶାମ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏହି ଗୃହଯୁଦ୍ଧ ଆରମ୍ଭ ହୋଇଛି । ତେବେ ବିଦ୍ରୋହ ଆରମ୍ଭ ହେବାର କେବଳ ସପ୍ତାହେ ମଧ୍ୟରେ ବିଦ୍ରୋହୀ ଗୋଷ୍ଠୀ ଦେଶର ଅନ୍ୟତମ ପ୍ରମୁଖ ସହର ଦାରାକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଛନ୍ତି। ଏହାପରେ ଦେଶର ରାଜଧାନୀ ଡାମସକସ ଅଭିମୁଖେ ବାହାରିଛନ୍ତି ବିଦ୍ରୋହୀ । ହୟାତ ତହରିର ଅଲ୍-ଶାମ ଇସଲାମିକ୍ ସଂଗଠନ ବିଦ୍ରୋହ ପରେ ଦେଶର ତିନୋଟି ପ୍ରମୁଖ ସହର ଆଲପ୍ପୋ, ହମା ଓ ହୋମ୍ସ ଉପରେ କବଜା କରି ନେଇଥିଲେ । ଏବେ ଦାରା ଉପରୁ ମଧ୍ୟ ସରକାର ନିଜର ନିୟନ୍ତ୍ରଣ ସଂପୂର୍ଣ୍ଣ ଭାବେ ହରାଇଛନ୍ତି । ହେଲେ ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ବିରୋଧରେ ୨୦୧୧ରେ ହୋଇଥିବା ବିଦ୍ରୋହ ଏହି ଦାରା ସହରରୁ ଆରମ୍ଭ ହୋଇଥିଲା। 

Advertisment

ଗୋଟିଏ ସପ୍ତାହରେ ସିରିଆ ସରକାରଙ୍କ ହାତରୁ ଦେଶର ପ୍ରମୁଖ ଚାରୋଟି ସହର ଖସିଗଲାଣି। ସେପଟେ ସିରିଆରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି ଭାରତ ବିଦେଶ ମନ୍ତ୍ରାଳୟ। ସରକାରଙ୍କ ପକ୍ଷରୁ ରାତି ଅଧିଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ସିରିଆରେ ସପ୍ତାହେ ହେବ ଲାଗି ରହିଛି ଗୃହଯୁଦ୍ଧ। ହୟାତ ତହରିର ଅଲ ଶାମ ବିଦ୍ରୋହୀ ଯୁଦ୍ଧ ଆରମ୍ଭ କରିଛନ୍ତି। ଏଥିରେ ପାଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ସିରିଆ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି ସିରିଆରେ ଥିବା ଭାରତୀୟ ଦୂତାବାସ। ଏହି ନମ୍ବରରେ ହ୍ବାଟ୍ସ ଆପ୍ କରିବାକୁ ବି କୁହାଯାଇିଛି। ସିରିଆରେ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ସତ୍ତାରୁ ହଟାଇ କବ୍‌ଜା କରିବାକୁ ଚାହୁଁଛି ହୟାତ।