କନକ ବ୍ୟୁରୋ : ସମ୍ପତ୍ତି ପାଇଁ ୪ ଭାଇଙ୍କ ଧାରଣା । ପାରିବାରିକ ସମ୍ପତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଜଣେ ଭାଇଙ୍କ ବିରୋଧରେ ୪ ଭାଇ ଅଭିଯୋଗ ଆଣି , କଳିଙ୍ଗ ବୈଶ୍ୟ ସଙ୍ଘ କାର୍ୟ୍ୟାଳୟ ସମ୍ମୁଖରେ ୫ ଦିନ ହେଲା ଧାରଣାରେ ବସିଛନ୍ତି । ମିଳିଥିବା ସୂଚନା ଅନୁସାରେ , ପିତା ସ୍ୱର୍ଗତ ପି. ବୈକୁଣ୍ଠଙ୍କ ୫ ପୁଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ସାନ ପୁଅ ପି. ବାସୁଦେବ ରାଓ ପାରିବାରିକ ସମ୍ପତି ଭାଗ ବଣ୍ଟା ନେଇ କୌଣସି ସହଯୋଗ କରୁନାହାନ୍ତି । ଏପରିକି ତାଙ୍କ ପରିବାରରେ ୨ଟି ଧାନ ମିଲ୍ , ଗୋଟିଏ କପା ମିଲ୍ , ସୁନା ଦୋକାନ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘର ଓ ଜମି ରହିଛି । ଯାହାର ମୂଲ୍ୟ ପ୍ରାୟ ୪୦ରୁ ୫୦ କୋଟି ଟଙ୍କା। ଏ ସବୁ ସମ୍ପତିକୁ ସମସ୍ତ ୫ ଭାଇଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବା ଦାବିରେ ୫ ଦିନ ହେଲା ଧାରଣାରେ ବସିଛନ୍ତି ୪ ଭାଇ । ସାନ ଭାଇ ବାସୁଦେବ ଏନେଇ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ଗତ ୭ ବର୍ଷ ହେଲାଣି ସମସ୍ତ ସମ୍ପତି ସାନ ଭାଇ ଦଖଲରେ ରହିଛି । ବାକି ଚାରି ଭାଇ କିଛି ଭାଗ ପାଉନାହାନ୍ତି । ଏହାର ସମାଧାନ ପାଇଁ ଦାବି ହେଉଥିବା ବେଳେ ବୈଶ୍ୟ ସଙ୍ଘର ସଭାପତି ଏଥିରେ ସହଯୋଗ କରୁନଥିବା ଅଭିଯୋଗ ୪ ଭାଇ । ଏହି ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ଧାରଣା ଜାରି ରହିବ ବୋଲି ବଡ଼ ପୁଅ ଚେତାବନୀ ଦେଇଛି ।