କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ତ୍ରୈଲକ୍ୟପୁରୁ ପଞ୍ଚାୟତର ଦ୍ବୀପାଞ୍ଚଳ ଗାଁ ଗଙ୍ଗାଧର-ପ୍ରସାଦ-ଡିଆ । ଗାଁକୁ ଚାରିପଟୁ ଘେରି ରହିଛି ଖରସ୍ରୋତା ନଦୀ । ନଦୀ ଭିତରେ ଥାଇ ପାଣି ପାଇଁ ହାହାକାର, ଗ୍ରାମବାସୀ ଡହଳବିକଳ । କାରଣ ମାସେ ହେବ ଖରାପ ହୋଇଯାଇଛି ବସୁଧା ପାଣି ଟାଙ୍କିର ସୋଲାର ସିଷ୍ଟମ୍‌ । ପ୍ରାୟ ୧୦ ଦିନ ହେବ ଗାଁକୁ ଆସୁନି ପାଇପ୍‌ ପାଣି । ଫଳର ପାଣି ବାଲଟିଏ ଲାଗି ନଳକୂପ ପାଖରେ ଲାଗୁଛି ଗାଁର ଝିଅ-ବୋହୂଙ୍କ ଲମ୍ବା ଲାଇନ୍ । ସେପଟେ ଗାଁରେ ଥିବା ୮ଟି ନଳକୂପରୁ ୬ଟି ଅଚଳ । ତେଣୁ ୧୪ଶହ ଲୋକଙ୍କ ଶୋଷ ମେଣ୍ଟାଇବାର ଠିକଣା ମାତ୍ର ୨ଟି ନଳକୂପ । 

Advertisment

 ଘରର ଅନ୍ୟ କାମ ସହ ଗାଧୁଆପାଦୁଆ ଲାଗି କୁମ୍ଭୀର ଭର୍ତି ଖରସ୍ରୋତା ନଦୀକୁ ଯିବାକୁ ପଡୁଛି । ଅନେକ ତ ଦଳ ଭର୍ତି ନାଳ ଉପରେ ନିର୍ଭର କରିଥାନ୍ତି। ଦୂଷିତ ନାଳପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତଥାପି ପ୍ରଶାସନ ଶୁଣୁନାହିଁ କି ଦ୍ୱୀପାଞ୍ଚଳର ଦୁଃଖ ଦୂର ହେଉନାହିଁ ।

ଯଦି ନଦୀରେ କିଛି ଅଘଟଣ ଘଟେ ତେବେ ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ। ତୁରନ୍ତ ପାଣି ସମସ୍ୟାର ସମାଧାନ କରାନଗଲେ ନଦୀ ପାର ହୋଇ ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ ।