କନକ ବ୍ୟୁରୋ :  ବିଲରେ ଶୋଇଛି ସୁନା ଫସଲ । କଳାହାଣ୍ଡି ଜିଲ୍ଲାର ଦଣ୍ଡପାଟ ଅଞ୍ଚଳରେ ବିପିଏଚ ପୋକ ଲାଗିବା ଦ୍ବାରା ଚାଷୀଙ୍କ ହେକ୍ଟର ହେକ୍ଟର ଫସଲ ନଷ୍ଟ ହୋଇଛି । କିଛି ଧାନ ଅମଳକ୍ଷମ ହୋଇଥିବା ବେଳେ ଆଉ କିଛି ଧାନ କ୍ଷୀର ଭରିବା ସମୟ । ଆଉ ଏହି ସମୟରେ ବିପିଏଚ ପୋକ ଚାଷୀଙ୍କ ପାଇଁ କାଳ ପାଲଟିଛି ।  ବିପିଏଚ ଯୋଗୁଁ ଧାନ ସବୁ ଅଗାଡ଼ି ହୋଇଯାଉଛି ।  ଧୀରେ ଧୀରେ ସାରା ବିଲକୁ ମାଡ଼ିଯାଉଛି । କୀଟନାଶକ ପ୍ରୟୋଗ କଲେ ମଧ୍ୟ କାମ କରୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

Advertisment

କଳାହାଣ୍ଡି ଜିଲ୍ଲାର ତେଣ୍ଡାପାଲି, ଛଞ୍ଚାଣ ବାହାଳି, ବେହେରାଗୁଡ଼ା, ଧଅଁରପୁର, କଦଳିମୁଣ୍ଡା, ଜୟନ୍ତପୁର, ପର୍ଲା ଆଦି ପଞ୍ଚାୟତର ସମସ୍ତ ଗାଁରେ ଏହି ରୋଗର ପ୍ରାଦୁର୍ଭାବ ଦେଖାଦେଇଛି । କୃଷି ଅଧିକାରୀ ଓ କୃଷି କର୍ମଚାରୀଙ୍କ ଖାମ ଖିଆଲ ନିତି ଯୋଗୁଁ ରୋଗ ପୋକ ସମସ୍ୟା ବଢି ଚାଲିଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଧର୍ମଗଡ କୃଷି ଜିଲ୍ଲା ଅଧିକାରୀ ଓ ରାଜସ୍ବ କର୍ମଚାରୀ ମାନେ କ୍ଷେତ୍ର ପରିଦର୍ଶନ ଚାଷୀଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି । 

ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀରୁ ରୁଣ କରି ଫସଲ କରିଥିଲେ । ଭଲ ଅମଳର ଆଶା ରଖିଥିଲେ ହେଲେ ଠିକ୍ ଅମଳ ସମୟରେ ଏଭଳି ସ୍ଥିତି ଚାଷୀଙ୍କୁ ଦୁଃଖ ଦେଇଛି । ଏବେ କିଭଳି ପରିବାର ପ୍ରତିପୋଷଣ କରିବେ ଓ ରୁଣ ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।