କନକ ବ୍ୟୁରୋ : କଂଗ୍ରେସ ଆଣିଲା ସ୍ବାଧୀକାର ଭଙ୍ଗ ନୋଟିସ । ଖାଲି ଏତିକି ନୁହେଁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥନରେ ବାହାରିଛନ୍ତି । ସଂସଦ ଅଧିବେଶନକୁ ସ୍ୱାଭାବିକ ନକରିବାକୁ ବିଜେପିର ଏହା ଚାଲ ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି । ଗୋଟିଏ ଦିଗରେ ସମ୍ବିଧାନ ବଦଳାଇବା ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପିକୁ ତୀବ୍ର ସମାଲୋଚନା କରୁଛନ୍ତି । ଏଭଳି ସ୍ଥିତିରେ ମୁସଲିମ୍ ସଂରକ୍ଷଣ ପାଇଁ ସମ୍ବିଧାନ ବଦଳାଇବା ବୟାନ ପ୍ରସଙ୍ଗ କଥା ଉଠାଉଥିଲେ ମଧ୍ୟ ଡିକେଙ୍କୁ କଂଗ୍ରେସ ହାଇକମାଣ୍ଡଙ୍କ ସମର୍ଥନ ଦେବାର କାରଣ କ’ଣ ?

Advertisment

ପ୍ରଥମ କାରଣ ହେଲା ଗାନ୍ଧୀ ପରିବାର ପ୍ରତି ଡିକେଙ୍କ ଅନୁଗତ  । ଗାନ୍ଧୀ ପରିବାରର ଅତ୍ୟନ୍ତ ବିଶ୍ବସ୍ତ ବୋଲି କୁହାଯାଉଥିବା ଡିକେ ଏବେ କଂଗ୍ରେସରେ ଜଣେ ସଙ୍କଟମୋଚକ ଭାବେ ଜଣାଶୁଣା । ସେଥିପାଇଁ ରାଜସ୍ଥାନ ଓ ହିମାଚଳ କଂଗ୍ରେସ ଅନ୍ତଃକନ୍ଦଳ ସମୟରେ ଡିକେ, ଗାନ୍ଧୀ ପରିବାରର ଦୂତ ଭାବେ ଏହାର ସମାଧାନ କରିଥିଲେ । ଏହାଛଡା କର୍ଣ୍ଣାଟକରେ ଅତ୍ୟନ୍ତ ପ୍ରଭାବଶାଳୀ ଓ ଧନୀଭାବେ ଜଣାଶୁଣା ଡିକେ ମଧ୍ୟ ଦଳ ପାଇଁ ଜଣେ ଭଲ ପାଣ୍ଠି ସଂଗଠକ ଭାବେ ପ୍ରମାଣିତ ହୋଇଛନ୍ତି । ଏଥିସହ ବିଜେପି ପ୍ରତି ଅତ୍ୟନ୍ତ ଆକ୍ରମଣାତ୍ମକ ଭୂମିକା ତୁଲାଇବା କାରଣରୁ ଡିକେ କଂଗ୍ରେସ ହାଇକମାଣ୍ଡଙ୍କ ଅତ୍ୟନ୍ତ ପ୍ରିୟ ।

କର୍ଣ୍ଣାଟକ କଂଗ୍ରେସରେ ଅନ୍ତଃକନ୍ଦଳ ବେଶ ଜଣାଶୁଣା । ଏବର୍ଷ ଶେଷରେ ଶାସନ ମୁଖ୍ୟ ବଦଳାଯିବା ନେଇ ଆକଳନ ଚାଲିଛି । ହାଇକମାଣ୍ଡଙ୍କ ମଧ୍ୟସ୍ଥତା ଅଲିଖତ ବୁଝାମୁଣା ଦ୍ବାରା ସିଦ୍ଧରମୈୟାଙ୍କ ବଦଳରେ ଡିକେ ପରବର୍ତ୍ତୀ ମୁଖ୍ୟ ହେବା ପାଇଁ ଗୋଡ ଟେକି ବସିଛନ୍ତି । କର୍ଣ୍ଣାଟକ କଂଗ୍ରେସରେ ଡିକେଙ୍କ କାଟତିକୁ ହାଇକମାଣ୍ଡ ବିଶେଷ କରି ଗାନ୍ଧୀ ପରିବାର ଭଲଭାବେ ହୃଦୟଙ୍ଗମ କରିଛନ୍ତି । ଏଭଳି ସମୟରେ ଡିକେଙ୍କୁ ସନ୍ତୁଷ୍ଟ କରି କର୍ଣ୍ଣାଟକ କଂଗ୍ରେସ ସରକାରଙ୍କୁ ସଙ୍କଟରେ  ପକାଇବାକୁ ହାଇକମାଣ୍ଡ ଚାହିଁବେ ନାହିଁ । ଏଥିପାଇଁ ମୁସଲିମ୍ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ ନେଇ ଡିକେଙ୍କ ବୟାନକୁ କଦର୍ଥ କରିଛି ବୋଲି କଂଗ୍ରେସ ସଫେଇ ଦେଉଛି ।