କନକ ବ୍ୟୁରୋ: ଛାଡ଼ି ଯାଇଛି ବାତ୍ୟା କିନ୍ତୁ ଉପକୂଳବର୍ତ୍ତି ଲୋକଙ୍କୁ ଦେଇ ଯାଇଛି ଦୁଃଖ । କେନ୍ଦ୍ରାପଡ଼ା ଓ ଭଦ୍ରକରର ଅନେକ ଚାଷୀଙ୍କ ମୁହଁରୁ ଦାନା ଛଡ଼ାଇ ନେଇଛି ଭୀଷଣ ବାତ୍ୟା ଦାନା । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇଛି । କେନ୍ଦ୍ରାପଡ଼ାରେ ବର୍ଷା ପବନ ହୋଇଛି। ଏହାର ପ୍ରଭାବରେ ରାଜକନିକା ଓ ଆଳି ବ୍ଲକରେ ବଡ଼ ବଡ଼ ଗଛ ଉପୁଡି ପଡିଛି। କିଛି ଜାଗାରେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି। ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ଏନଡିଆରଏଫ ଟିମ ରାସ୍ତା ସଫା କରିବାରେ ଲାଗିପଡିଛନ୍ତି।

Advertisment

ମହାକାଳପଡା ବ୍ଲକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା ଦାନା। ବ୍ଲକର ବତୀଘର ପଞ୍ଚାୟତର ବିଭିନ୍ନ ଅଂଚଳରେ ବଡବଡ ଗଛ ଭାଙ୍ଗି ପଡିଛି। ଅନେକ ସ୍ଥାନରେ ଘର ଉପରେ ଗଛ ଭାଙ୍ଗି ପଡ଼ିଛି। ଏହାସହ ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ଓ ଜୁଆର ପାଣି ପଶିଯାଇଛି। ଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାକାଳପଡା ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଭେଟିଛନ୍ତି। ଓଡ୍ରାଫ ଟିମ ଗଛ କାଟି ରାସ୍ତା ସଫା କରିବାରେ ଲାଗିଛନ୍ତି ।

ବାତ୍ୟା ଦାନା ପ୍ରଭାବରେ ମୟୂରଭଂଜ ଜିଲ୍ଲା ଉଦଳା କପ୍ତିପଦା ବ୍ଲକର ଅଠଣଗାଁ ଗ୍ରାମରେ ଗଛ ଉପୁଡି ପଡ଼ିଛି। ଗଛଟି ଜଣଙ୍କ ଘର ଉପରେ ପଡ଼ିଥିବା ବେଳେ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟିଛନ୍ତି। କେବଳ ଗଛ ନୁହେଁ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡ଼ିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଅଶାନ୍ତ ସମୁଦ୍ରକୁ ଦେଖି ଭୟଭୀତ ଲୋକ। ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁ ଚାଲିଯାଇଛି। ଏବେ ବି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି । ବାଲେଶ୍ୱରରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଆଜି ସକାଳେ ଉଚ୍ଚ ଜୁଆର ସହ ପାଖାପାଖି ୨ କିଲୋମିଟର ପର୍ୟ୍ୟନ୍ତ ସମୁଦ୍ର ପାଣି ଉପରକୁ ମାଡି ଆସିଥିଲା । ଏହାସହ ପ୍ରବଳ ବେଗରେ ପବନ ବହୁଛି। ଡ଼ଗରା ବେଳାଭୂମି ଖାଁ ଖାଁ ହୋଇପଡ଼ିଛି। ଏପଟେ ସହରରେ ବଡ଼ବଡ଼ କୋଠାରେ ବସି ବାତ୍ୟାକୁ ନେଇ ଅନେକ କିଛି ସମାଲୋଚନା କରୁଛନ୍ତି କିଛି ବ୍ୟକ୍ତି।