କନକ ବ୍ୟୁରୋ : ଆବାସିକ ବିଦ୍ୟାଳୟରେ ପଢୁଥିବା ନାବାଳିକା ଦୁଷ୍କର୍ମ ମାମଲା । ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାର ବିତିଗଲାଣି ୧୯ ଦିନ । ହେଲେ ଏବେ ବି ପୁଲିସ ହାତ ଖାଲି । ଥାନାରେ ମାମଲା ହୋଇଛି । ତାପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଯାହାର ପ୍ରତିବାଦରେ ନାବାଳିକାକୁ ନ୍ୟାୟ ଦାବିରେ   ବିଜେଡି ଓ କଂଗ୍ରେସ ଦଳ  ପୃଥକ୍ ପୃଥକ୍ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । ଏହାସହିତ ପାଠ ପଢୁଥିବା ଆବାସିକ ବିଦ୍ୟାଳୟକୁ ଯାଇ ପଚରା ଉଚରା କରିଛନ୍ତି ।  ନାବାଳିକା ରହୁଥିବା ହଷ୍ଟେଲକୁ ଯାଇ ଦେଖିଛନ୍ତି । ପରିବାର ଓ ପୀଡ଼ିତାକୁ ଭେଟିବା ପରେ ଏହି ଘଟଣାରେ ଜଡ଼ିତ ଥିବା ଅଭିଯୁକ୍ତକୁ ୨୪ ଘଣ୍ଟା ଭିତରେ ଧରାନଗଲେ ରାଜ ରାସ୍ତାକୁ ଓହ୍ଲାଇବାର ଚେତାବନୀ ଦିଆଯାଇଛି । ଗୁନେଇଗୁଡ଼ାରେ ଥିବା ଆବାସିକ ବିଦ୍ୟାଳୟରେ କିଛି ଦୃର୍ବୁତ୍ତ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୀଡ଼ିତାଙ୍କ ପରିବାର ମାଛକୁଣ୍ଡ ଥାନାକୁ ଯାଇ ଏତଲା ଦେଇଛନ୍ତି । ତେବେ ନାବାଳିକା ଜଣଙ୍କୁ ସ୍ଥାନୀୟ  ମେଡିକାଲରେ ଚିକିତ୍ସା ନକରି କୋରାପୁଟ ମେଡିକାଲକୁ ପଠାଇବା ନେଇ ପ୍ରଶ୍ନ ଉଠିଛି ।   ଜଣେ ପରେ ଜଣେ ନାବାଳିକା ଏପରି ଦୁଷ୍କର୍ମର ଶିକାର ହେଉଛନ୍ତି । ସରକାର ଚୁପ୍ ବସିଛନ୍ତି ।  ନାରୀ ସୁରକ୍ଷା ନେଇ ଦିଆଯାଉଥିବା ନାରାବାଜି ପ୍ରହସନ ପାଲଟିଛି ।  ଖୁବଶୀଘ୍ର ଏହି ଘଟଣା ନେଇ ପଦକ୍ଷେପ ନେବାକୁ ଦାବି ହୋଇଛି । 

Advertisment