କନକ ବ୍ୟୁରୋ: ରାଜଧାନୀରେ ବୁଲୁଛନ୍ତି ମିଛ କନିଆଁ। ବାହାଘର ପାଇଁ ପ୍ରସ୍ତାବ ଦେଇ, ତଳି ତଳାନ୍ତ କରି ଦେଉଛନ୍ତି ଠକ। ଏମିତି ଏକ ଠକ ଦଲାଲକୁ ଖୋଜୁଛି କମିଶନରେଟ ପୋଲିସ। ଅଭିଯୋଗ ଅନୁସାରେ ଜଣେ ଯୁବକଙ୍କୁ ବାହା କରାଇ ଦେବାପାଇଁ ପ୍ରସ୍ତାବ ଦେଇଥିଲା ଠକ ଜଣକ। ବାହାଘର ଦିନ ଧାର୍ଯ୍ୟ ହେଲା, ଲୁଗାପଟାରୁ ଆରମ୍ଭ କରି ଗହଣା ବି କିଣାହେଲା। ହେଲେ ବାହାଘର କରାଇଦେବା ପାଇଁ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଲା ଦଲାଲ।
ବରଣ ମାଳାଠୁ ବ୍ଲେଜର । ଆଉ ସିନ୍ଦୁର ଠାରୁ ସେରୱାନୀ ପର୍ଯ୍ୟନ୍ତ। ସବୁକିଛି କିଣା ସରିଥିଲା। ମଙ୍ଗନ ସାରି ବାହା ବେଦୀରେ ମଙ୍ଗଳସୂତ୍ର ପିନ୍ଧାଇ ବିବାହ କରିଥାନ୍ତେ। ଧୁମଧାମରେ ବାହାଘର କରିବାକୁ ମଣ୍ଡପ ବି ବୁକିଙ୍ଗ ହୋଇଥିଲା। ଖାଲି ବେଦୀରେ ବର ବସିବା ବାକି ଥିଲା। ଝିଅ ଭିଡିଓ କଲରେ କଥା ହେଲା- ହେଲେ ପାଖକୁ ଗଲା ବେଳକୁ ଧରା ଛୁଆଁ ଦେଲାନି। ଏଥିଲା ସେହି ମିଛ କନିଆଁ। କେବଳ ମିଛ କନିଆଁ ନୁହେଁ ମିଛ ବାହାଘର ପାଇଁ ପ୍ରସ୍ତୁତ ହୋଇଥିଲେ ମିଛ ବାପା ମାଆ ଆଉ ଭାଇ ଭଉଣୀ। ସୋସିଆଲ ମିଡିଆରେ ଜାଲ ପକାଇ, ବାହାଘର ମଧ୍ୟସ୍ଥି ସାଜିଥିବା ଦଲାଲ ରଚିଥିଲା ଏହିସବୁ ଷଡଯନ୍ତ୍ର। ଦଲାଲ ଜଣକ ବାହାଘର କରାଇବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ଏବେ ଫେରାର। ଫୋନ ସୁଇଚ ଅଫ୍। ଯାହାକୁ ନେଇ ଭରତପୁର ଥାନାରେ ମାମଲା ରୁଜୁ କରିଛନ୍ତି ଶିଶୁପାଳ ହୋଇ ଫେରିଥିବା ବର।
କେବଳ ଭୁବନେଶ୍ୱରର ବରମୁଣ୍ଡାର ଏହି ଯୁବକ ନୁହେଁ। ଏହି ମାୟାବିନିଙ୍କ ଫଟୋ ଦେଖାଇ ବାହାଘରର ମାୟାଜାଲରେ ଯୁବକଙ୍କୁ ଫସାଇଛି ଦଲାଲ। ଲୋକ ଲଜ୍ଜା ଭୟରେ କେହି ବି ଗଣମାଧ୍ୟମ ସାମାନାକୁ ଆସୁ ନାହାଁନ୍ତି, କିନ୍ତୁ ଥାନାରେ ଅଭିଯୋଗ କରିଛନ୍ତି। ଖାଳି ସେତିକି ନୁହେଁ ୧୦ରୁ ଅଧିକ ଯୁବତୀଙ୍କୁ ଏହି ଦଲାଲ ଚାକାରି ଦେବା ନାଁରେ ଚୁନା ଲଗାଇଥିବା ଅଭିଯୋଗ ହୋଇଛି। ବର ସାଜିଥିବା ଯୁବକଙ୍କୁ ରେଲୱେରେ ଚାକାରି ଦେବ କହି ତାଙ୍କ ଠାରୁ ୩ ଲକ୍ଷ ଟଙ୍କା ନେଇଯାଇଥିବା କହିଛନ୍ତି ଯୁବକ।
ରାଜଧାନୀରେ ଏବେ ଠକେଇର ନୁଆ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଠକମାନେ ଏବେ ଅବିବାହିତ ଯୁବକ ଯୁବତୀଙ୍କ ପରିବାରକୁ କରୁଛନ୍ତି ସଫ୍ଟ ଟାର୍ଗେଟ। ଥରେ ଯିଏ ସୁନ୍ଦରୀ ଫଟୋ ଦେଖି ରାଜି ହୋଇଯାଏ, ଦଲାଲ ମାନେ ଆରମ୍ଭ କରି ଦିଅନ୍ତି ସେମାନଙ୍କ ଅପରେସନ୍।