କନକ ବ୍ୟୁରୋ : ବେଫିକର ଅପରାଧୀ ସୀମା ଟପିଛନ୍ତି। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ କଡା ସୁରକ୍ଷା ବଳୟରେ ଥିବା ରାଜଧାନୀରେ ସକାଳୁ ସକାଳୁ ଗଡିଛି ମୁଣ୍ଡ। ବିଚ ରାସ୍ତା ଉପରେ ଭୁବନେଶ୍ଵର ସଫେଇ କର୍ମଚାରୀ ସଂଘର ମୁଖ୍ୟ, ସହଦେବ ନାୟକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ।
ଝିଅକୁ ସ୍କୁଲରେ ଛାଡି ଘରକୁ ଫେରିବା ବାଟରେ ପୂର୍ବ ଯୋଜନା ମୁତାବକ ସହଦେବଙ୍କୁ ତିନି ରୁ ଚାରିଜଣ ଦୂର୍ବୁତ୍ତ ଅଟକାଇଥିଲେ। ଆଉ ସହଦେବ କିଛି ବୁଝିବା ପୁର୍ବରୁ ଧାରୁଆ ଖଣ୍ଡାରେ ତାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ। ରାସ୍ତା ଉପରେ ଗୋଟିଏ ଜାଗାରେ ପଡିଥିଲା ସହଦେବଙ୍କ ରକ୍ତ ଜୁଡୁବୁଡୁ ଶରୀର କିଛି ଦୂରରେ ପଡିଥିଲା ମୁଣ୍ଡ। ପାଖରେ ପଡିଥିଲା ସେ ଚଳାଉଥିବା ଗାଡି।
ରାଜଧାନୀ ବିଚ ରାସ୍ତାରେ ଏଭଳି ହତ୍ୟାକାଣ୍ଡ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଶହ ଶହ ଲୋକ ଏକାଠି ହୋଇ ହତ୍ୟାକାରୀଙ୍କୁ ତୁରନ୍ତ ଧରିବା ସହ ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି। ଅନ୍ୟପଟେ ସହଦେବଙ୍କ ସମ୍ପର୍କୀୟ କହିଛନ୍ତି, ସେ ବ୍ରାଉନସୁଗାର ବେପାରୀଙ୍କ ଟାର୍ଗେଟରେ ଥିଲେ। ସହଦେବ କେଦାରପଲ୍ଲୀ ଅଞ୍ଚଳରେ ବ୍ରାଉନ ସୁଗାର୍ ବେପାରୀଙ୍କୁ ବିରୋଧ କରୁଥିଲେ। ବ୍ରାଉନସୁଗାର ନଖାଇବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଆସୁଥିଲେ। ବ୍ରାଉନ ସୁଗାରକୁ ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି।
ପୋଲିସକୁ ଅପରାଧୀଙ୍କ ଚ୍ୟାଲେଞ୍ଜ ପରେ, ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ଛାନଭିନ କରୁଛି ପୋଲିସ। ଭାଇରାଲ ହେଉଥିବା ଭିଡିଓକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଛି। ଏବଂ ଖୁବ୍ ଶୀଘ୍ର ଏହି ହତ୍ୟା କାଣ୍ଡରେ ସାମିଲ ଥିବା ଅପରାଧୀଙ୍କୁ ଧରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି।
ଗୁରୁତ୍ବପୁର୍ଣ କଥା ହେଉଛି ରାଜଧାନୀରେ ଏବେ ପ୍ରବାସୀ ଭାରତୀୟ ଦିବସ ଚାଲିଛି। ଏଥିପାଇଁ ପୂରା ରାଜଧାନୀ ଏବେ ଉତ୍ସବ ମୁଖର ରହିଛି। ଏତିକିବେଳେ ଭୁବନେଶ୍ବରର ବିଚ ରାସ୍ତା ଉପରେ ଏଭଳି ହତ୍ୟାକାଣ୍ଡ ଘଟିବା, ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/08/jlUjq1mSh0O62po02NkH.jpg)