କନକ ବ୍ୟୁରୋ :  କୋଟିଏ ୭୨ ଲକ୍ଷ ଟଙ୍କାରେ ଗଂଜାମ ଆସିକା ଉପଖଣ୍ଡ ମେଡିକାଲର ରୂପାନ୍ତରଣ କରାଯାଇଛି । ପାଣି ଭଳି ଟଙ୍କା ଖର୍ଚ୍ଚ କରି ଚକାଚକ୍ କରାଯାଇଛି । କିନ୍ତୁ ଡାକ୍ତରଖାନାର ଯାହା ମୌଳିକ ଆବଶ୍ୟକତା ତା ନାହିଁ । ଡାକ୍ତର ଅଭାବରୁ ରୋଗୀଙ୍କୁ ଉଚିତ୍ ସେବା ମିଳୁନଥିବା ଅଭିଯୋଗ ହୋଇଛି । ଡାକ୍ତରଖାନାରେ ୩୪ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୧୧ ଜଣ । ସେଥିରୁ ୩ ଜଣ ଡାକ୍ତର ଡେପୁଟେସନ୍‌ରେ ଯାଇଛନ୍ତି । ୮ ଜଣ ଡାକ୍ତର ପାଳିପାଳି କରି ଡ୍ୟୁଟି କରୁଛନ୍ତି ।

Advertisment

ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ଆସିକା ସମେତ ଧରାକୋଟ, ବେଲଗୁଣ୍ଠା, ସୋରଡା, ଶେରଗଡ଼ ଓ କବିସୂର୍ୟ୍ୟନଗର ବ୍ଲକର ଲୋକ ନିର୍ଭରଶୀଳ । ପ୍ରତିଦିନ ରୋଗୀଙ୍କ ଭିଡ଼ ଲାଗୁଛି । ହେଲେ ଭେଷଜ, ଅସ୍ତ୍ରୋପଚାର, ଶିଶୁରୋଗ ବିଶେଷଜ୍ଞ ପଦବୀ ଖାଲି ପଡିଛି । ଫଳରେ ଡାକ୍ତରଖାନାକୁ ଆସି ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ସେହିପରି ଆସିକା ବ୍ଲକ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମଧ୍ୟ ସମାନ ଅବସ୍ଥା । ଏଠି ୧୦ ବଦଳରେ ଅଛନ୍ତି ୪ ଜଣ ଡାକ୍ତର । ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସାଂଘାତିକ ସ୍ଥିତି । ଏଠି ୧୨ ଜଣ ଡାକ୍ତରଙ୍କ ସ୍ଥାନରେ ସେବା ଯୋଗାଉଛନ୍ତି ୫ ଜଣ ।

ମେଡିକାଲ ଗୁଡିକର ମୁଖ୍ୟ ସମସ୍ୟା ବାବଦରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି ସ୍ଥାନୀୟ ଲୋକ। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଜାଣିଛନ୍ତି। ହେଲେ କୌଣସି ସୁଫଳ ମିଳିନି। ଖାଲି ଯାହା ରୁପାନ୍ତରୀକରଣ ଆଳରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି।