କନକ ବ୍ୟୁରୋ : ସୁନ୍ଦରଗଡରେ ଗର୍ଜିଲେ ଆଦିବାସୀ। ୩୦ ବର୍ଷ ହେଲା ମିଳୁନି ଜଙ୍ଗଲ ଜମି ଅଧିକାର। ନିଜର ଅଧିକାର ପାଇଁ ଜିଲ୍ଲପାଳଙ୍କୁ ଘେରିଲେ। ଜିଲ୍ଲାର ବଣଜଙ୍ଗଲରେ ବସବାସ କରୁଥିବା ଏବଂ ଚାଷ ବାସ ପାଇଁ ଭରସା କରୁଥିବା ଆଦିବାସୀଙ୍କୁ ତାଙ୍କର ଅଧିକାର ମିଳିବ। ଏଥିପାଇଁ ୨୦୦୬ରେ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ହୋଇଥିଲା। ପରେ ୨୦୧୨ରେ ସଂଶୋଧିତ ଆଇନ ଆସିଥିଲା। ଏପରିକି ପୂର୍ବ ସରକାର ୨୦୨୪ରେ ମୋ ଜଙ୍ଗଲ ଜମି ଯୋଜନାରେ ଜମିପଟ୍ଟା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ। ତଥାପି ଆଦିବାସୀମାନେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇ ପାରୁନାହାନ୍ତି।
ଆଜି ସବଡେଗା, ବାଲିଶଙ୍କରା, ଟାଙ୍ଗରପାଲି ଏବଂ ଲେଫ୍ରିପଡା ବ୍ଲକ ଅଞ୍ଚଳର ଶତାଧିକ ଆଦିବାସୀ ଜିଲ୍ଲପାଳଙ୍କୁ ନିଜ ଦାବି ଜଣାଇଛନ୍ତି । ଜିଲ୍ଲାରେ ବର୍ତମାନ ସୁଦ୍ଧା ୫୬ହଜାରରୁ ଅଧିକ ଆଦିବାସୀ ଜଙ୍ଗଲ ଜମି ଅଧିକାର ପାଇଁ ଆବେଦନ କରିଛନ୍ତି । ସେହିପରି ୧ହଜାର ୮୪ଟି ଗୋଷ୍ଠୀଗତ ଅଧିକାର ପାଇଁ ଆବେଦନ ହୋଇଥିବା ବେଳେ ସବୁ ଆବେଦନ ଯାଂଚ ଅଟକି ରହିଛି। ତେଣୁ ଯଥାଶୀଘ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ, ନଚେତ୍ ଆଗକୁ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।