କନକ ବ୍ୟୁରୋ : ଓଡିଶାର ଜୀବନ ରେଖା କହାଯାଉଥିବା ମହାନଦୀ ଏବେ ଶୁଷ୍କ ଅବସ୍ଥାରେ। ସୁବର୍ଣ୍ଣପୁରରେ ନଦୀ ଯେମିତି ମରୁଭୂମି ପାଲଟିଗଲାଣି। ବିନିକା ଠାରୁ ବୀରମହାରାଜପୁର ପର୍ଯ୍ୟନ୍ତ ପ୍ରାୟ ୮୦ କିମିରୁ ଉର୍ଦ୍ଧ୍ୱ ଲମ୍ବର ମହାନଦୀରେ ଏବେ ବିସ୍ତିର୍ଣ୍ଣ ବାଲିପଠା ଦେଖାଯାଉଛି। ପଥର ଫାଙ୍କରେ ଚଳଚଳ ପାଣି ରହିଛି। ନଦୀଗର୍ଭରେ ଜଳସ୍ତର କମି ଯିବାରୁ ଚାଷୀ ଓ ମତ୍ସ୍ୟଜୀବୀ ଚିନ୍ତାରେ ପଡ଼ିଛନ୍ତି। ପିଇବା ପାଣିକୁ ନେଇ ଆଶଙ୍କା ବଢ଼ିଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳ ମହାନଦୀ ପାଣି ଜଳସେଚିତ ହୋଇଛି। ଏବେ ଜଳାଭାବ ରବି ଫସଲ ପ୍ରଭାବିତ ହୋଇପାରେ।
ଚିରସ୍ରୋତା ମହାନଦୀ କୂଳରେ ଗଢି ଉଠିଥିବା ପ୍ରାଚୀନ ସୁବର୍ଣ୍ଣପୁର ସହର ସଂପୂର୍ଣ୍ଣ ନିର୍ଭର କରିଥାଏ ମହାନଦୀ ଜଳ ଉପରେ। ଧିରେଧିରେ ନଦୀର ସ୍ରୋତ ମଧ୍ୟ କମିବାରେ ଲାଗିଛି। ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ କରି ପାଣିକୁ ଅଟକାଇବାରୁ ସ୍ଥିତି ସଙ୍ଗୀନ ହୋଇଛି। ତେବେ ରାଜନୀତି ନକରି ପାଣି ଛାଡ଼ିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ହୀରାକୁଦ ଜଳଭଣ୍ଡାରର ତଳ ମୁଣ୍ଡରେ ଛୋଟ ଛୋଟ ବ୍ୟାରେଜ କରିବାକୁ ପ୍ରସ୍ତାବ ଦେଇଛନ୍ତି ବୁଦ୍ଧିଜୀବୀ।
ଶୁଷ୍କ ମହାନଦୀ ପାଇଁ ଏବେ ସାରା ରାଜ୍ୟରେ ଚିନ୍ତା ବଢିଯାଇଛି। ରାଜ୍ୟ, କେନ୍ଦ୍ର ଓ ଛତିଶଗଡ଼ରେ ବିଜେପି ସରକାର ରହିଛି। ଟ୍ରିପଲ ଇଂଜିନ ସରକାର ମହାନଦୀ ଜଳ ବିବାଦର ସମାଧାନ କରିବେ ବୋଲି ଆଶା ରଖିଛନ୍ତି ମହାନଦୀ ଉପରେ ନିର୍ଭର କରୁଥିବା ଓଡ଼ିଶାବାସୀ।