କନକ ବ୍ୟୁରୋ : ଶିମିଳିପାଳରେ ବଢ଼ୁଛି ମହାବଳଙ୍କ ସଂଖ୍ୟା । ଚଳିତ ବର୍ଷ କ୍ୟାମେରା ଟ୍ରାପ୍‌ରୁ ଏହା ସ୍ପଷ୍ଟ ହୋଇଛି ଯେ, ଶିମଳିପାଳ ଜାତୀୟ ଉଦ୍ୟାନରେ ଜିନତ୍‌ ଓ ଯମୁନାକୁ ମିଶାଇ ୪୦ ମହାବଳ ବାଘ ଅଛନ୍ତି । ଏଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି । ଏବଂ ବାକି ପୁରୁଷ ମହାବଳ ୧୩ ଟି ଓ ୧୭ଟି ବାଘୁଣୀ ରହିଛନ୍ତି । ଅନ୍ୟ ୨ଟି ମହାବଳ ପୁରୁଷ କି ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନାହିଁ । ମହାବଳଙ୍କ ମଧ୍ୟରୁ ୧୮ଟି କଳା ମହାବଳ ଅଛନ୍ତି । ଏଥି ମଧ୍ୟରୁ ୯ଟି ପୁରୁଷ ଓ ୯ଟି କଳା ବାଘୁଣୀ ଅଛନ୍ତି । ଆଗାମୀ ୧୦ ବର୍ଷ ମଧ୍ୟରେ  ଏହି ସଂଖ୍ୟା ଶହେରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ।  

Advertisment

୧୯୮୦ରୁ ପ୍ରଥମେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏବଂ ଶେଷରେ ଦୀର୍ଘ ୪୫ ବର୍ଷ ପରେ ଏହି ଉଦ୍ୟମ ସଫଳ ହୋଇଛି । ମୟୂରଭଞ୍ଜର ୨୭୫୦ ବର୍ଗ କିଲୋମିଟରର ବ୍ୟାପ୍ତ ରହିଛି ଶିମିଳିପାଳ ଜୈବ ବିବିଧତା । ଏଥି ମଧ୍ୟରୁ ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି । ଯାହାକୁ ନେଇ ସାରାରାଜ୍ୟ ଓ ପରିବେଶପ୍ରେମୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି । 

ଆଗକୁ ଶିମିଳିପାଳକୁ ୟୁନେସ୍କୋ ହେରିଟେଜ୍ ସାଇଟ୍ ହିସାବରେ ସ୍ଥାନିତ କରିବା ପାଇଁ ପ୍ରୟାସ ଜାରି ରହିଥିବା କୁହାଯାଇଛି ।