କନକ ବ୍ୟୁରୋ: ସମ୍ବଲପୁରରେ ଜହର ପାଲଟୁଛି ମହାନଦୀ ଜଳ । ଏହି ପାଣି ବ୍ୟବହାର କରି ବଢୁଛି ରୋଗ, କମୁଛି ଆୟୁଷ । ବିଭିନ୍ନ କାରଣରୁ ପ୍ରଦୂଷିତ ହେଉଛି ମହାନଦୀ ଜଳ । ଏଥିପାଇଁ ଲୋକ ମଧ୍ୟ ଦାୟୀ। ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏନେଇ ସତର୍କ କରାଇ ଦେବା ପରେ ଉଦବେଗ ପ୍ରକାଶ ପାଇଛି ।
ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଦିନକୁ ଦିନକୁ ମହାନଦୀ ପାଣି ପାଲଟୁଛି ଜହର । ଏହି ପାଣି ପିଇବା ପାଇଁ ତ ଦୂରର କଥା ଗାଧୋଇବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ । ସହରାଞ୍ଚଳର ନାଳ ନର୍ଦ୍ଦମା ପାଣି ଓ କଳକାରଖାନାର ବର୍ଜ୍ୟବସ୍ତୁ ସିଧାସଳଖ ମହାନଦୀରେ ମିଶୁଥିବାରୁ ପ୍ରଦୂଷଣ ବଢୁଛି । ଏହି ପାଣି କୌଣସି ପ୍ରକାରେ ବ୍ୟବହାର ନକରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ସତର୍କ କରାଇ ଦେଇଛନ୍ତି ।
ସମ୍ବଲପୁର ଓ ଝାରସୁଗୁ଼ଡ଼ା ଶିଳ୍ପାଞ୍ଚଳର ପ୍ରଦୂଷିତ ପାଣି ଓ ବର୍ଜ୍ୟବସ୍ତୁ ମହାନଦୀରେ ମିଶୁଛି । ଖରାଦିନେ ମହାନଦୀରେ ଉପର ମୁଣ୍ଡରୁ ଜଳ ପ୍ରବାହ କମୁଛି । ନଦୀ ପାଣି ଅଧିକାଂଶ ସ୍ଥାନରେ ଜମି ରହି ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ଗାଈଗୋରୁଙ୍କ ସହିତ ମଣିଷ ମଧ୍ୟ ଏହା ବ୍ୟବହାର କରୁଛନ୍ତି ,ଯାହା ସମ୍ବଲପୁର ଓ ଆଖାପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ଜଳବାହିତ ରୋଗ ସୃଷ୍ଟି କରିବା ସହିତ ଆୟୁଷ କମାଇବାର ମୁଖ୍ୟ କାରଣ ବୋଲି କୁହାଯାଉଛି ।
ମହାନଦୀର ସୁରକ୍ଷା ଓ ଜଳ ପ୍ରଦୂଷଣ ରୋକିବା ଦିଗରେ ଶୀଘ୍ର ପଦକ୍ଷେପ ନିଆନଗଲେ ବିଷ ପାଲଟିଯିବ ରାଜ୍ୟର ଜୀବନଧାରା , ଯାହା କି ଆଗକୁ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।