କନକ ବ୍ୟୁରୋ : ରାସ୍ତାର ଅବସ୍ଥା ଦେଖିବା ପରେ ଗାଁ ବିକାଶର କଥା କହିବାର ଆବଶ୍ୟକତା ନାହିଁ। ଖରା ଦିନର ଅବସ୍ତା ଦେଖି ବର୍ଷା ଦିନ କଥା ଭାବିବାକୁ ଭୟ ଲାଗୁଛି । ଏଇ ଧୂଳିଭର୍ତ୍ତି ରାସ୍ତାରେ ପ୍ରତିଦିନ ଯା'ଆସ କରୁଛନ୍ତି ଦୁଇଟି ଗାଁର ଶତାଧିକ ଲୋକ । ବିଶେଷ କରି ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ଓ ବୟସ୍କ ଲୋକ ବହୁ ଅସୁବିଧାର ସମ୍ମୂଖିନ ହେଉଛନ୍ତି । ରାସ୍ତା ସମସ୍ୟାରେ ଘାଂଟି ହେଉଛନ୍ତି ରାୟଗଡା ସହର ଠାରୁ ମାତ୍ର ୧୨ କିମି ଦୂର ଗେଣ୍ଡାଗୁଡିଆ ଓ ଠୁରିହଂସା ଗ୍ରାମବାସୀ।
ଗାଁ ଠାରୁ ୬ କିମି ଦୂରରେ ଜେମାଦେଇପେଣ୍ଠ ପଞ୍ଚାୟତ କାର୍ଯ୍ୟାଳୟ । ରାସନ ଚାଉଳ ଓ ଭତ୍ତା ପାଇଁ ଚାଲିଚାଲି ଯାଇଥାନ୍ତି ହିତାଧିକାରୀ । ସ୍ୱାସ୍ଥ୍ୟ ସେବା ଓ ହାଟ ବଜାର ପାଇଁ ୧୨ କିମି ଦୂର ରାୟଗଡ଼ା ଯିବାକୁ ପଡ଼େ । ତେଣୁ ରାସ୍ତାଟି ଭଲ ହେବା ନିହାତି ଜରୁରୀ । ଏଥିପାଇଁ ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ସମସ୍ତଙ୍କ ପାଖରେ ଗୁହାରି କରିଛନ୍ତି । ପକ୍କା ରାସ୍ତାଟିଏ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ନିକଟରେ ଯେତେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
୨୦୧୭ରେ ଗାଁରେ ବନ୍ୟା ହୋଇଥିଲା । ତତ୍କାଳୀନ ରାୟଗଡା ଜିଲ୍ଲାପାଳ ଆଣ୍ଠୁଏ କାଦୁଅରେ ପଶି ଗାଁକୁ ଯାଇଥିଲେ । ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବର୍ତମାନ ଶୁଦ୍ଧା ବାବୁଙ୍କ ପ୍ରତିଶ୍ରୁତି ପୂରଣ ହୋଇନାହିଁ କି ଦୁଇ କିଲୋମିଟର ରାସ୍ତାର ଚିତ୍ର ବଦଳି ନାହିଁ ।