କନକ ବ୍ୟୁରୋ : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନାବନ୍ନ । ଘରେ ଘରେ ଜମୁଛି ପିଠା ପଣାର ଆସର । ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କ ନିକଟରେ ନାବନ୍ନ ଲାଗି କରିଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଆଉ ଚାଷୀ ଘରର ପୁଅ ନିଜ ଅମଳ ଧାନ ଘରକୁ ଆଣିବା ପରେ ପୂଜାର୍ଚ୍ଚନା କରି ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଛନ୍ତି। ନୂଆଖାଇ ଭେଟଘାଟରେ ସାନ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରିବା ସହ ଆର୍ଶୀବାଦ ନେଇଛନ୍ତି । ଭାଇ ଚାରାର ଏହି ନିଆରା ପର୍ବ ନୂଆଁଖାଇରେ ସୁନ୍ଦରଗଡ କୁତ୍ରା ବ୍ଲକ ତୁନମୁରା ଗାଁର ଏକ ପରିବାର ସହ ସାମିଲ ହୋଇଛି କନକ ନ୍ୟୁଜ୍‌ ।

Advertisment

ସେପଟେ ଖାଲି ପଶ୍ଚିମଓଡ଼ିଶା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆଁଖାଇ ପାଳନ ହେଉଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସମ୍ପୁର ଗାଁରେ ଉତ୍ସାହ ଓ ଆନନ୍ଦର ସହ ଏହି ପର୍ବକୁ ପାଳନ କରିଛନ୍ତି ଲୋକେ । ସକାଳୁ ସକାଳୁ ନୂଆ ବସ୍ତ୍ର ପିନ୍ଧି ଗାଁର ଇଷ୍ଟ ବାଲୁଙ୍କେଶ୍ବର ମନ୍ଦିରରେ ଏକାଠି ହୋଥିଲେ ଲୋକେ । ସ୍ନେହ, ପ୍ରେମ ଓ ପରମ୍ପରା ବନ୍ଧନର ପ୍ରତୀକ ଭାବେ ନୂଆ ଚାଉଳ, ନୂଆ ଚୁଡ଼ା ଓ ଫଳ ଭଳି ୯ ପ୍ରକାର ବ୍ୟଜ୍ଞନ ଭୋଗ କରାଯାଇଛି । କିମ୍ବଦନ୍ତୀ ଅନୁସାରେ ଖୋର୍ଦ୍ଧା ରାଜାଙ୍କ କନ୍ୟା ମୁକ୍ତା ଦେଇ ସମ୍ବଲପୁରର ରାଜା ଜୟନ୍ତ ସିଂହଙ୍କୁ ବିବାହ କରିଥିଲେ । କିନ୍ତୁ ୧୯୧୭ ମସିହାରେ ମରହଟ୍ଟା ଓ ଇଂରେଜମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ରାଜା ଜୟନ୍ତ ସିଂହ ଯୌତୁକ ବାବଦରେ ପାଇଥିବା ସମ୍ପୁର ଗାଁରେ ଆସି ରହିଥିଲେ । ଆଉ ସେବେଠାରୁ ରାଣୀ ଏହି ଗାଁରେ ନୂଆଁଖାଇ ପର୍ବ ଆରମ୍ଭ କରିଥିଲେ । ଯାହାକୁ ଆଜି ମଧ୍ୟ ବେଶ ଧୁମଧାମରେ ପାଳନ କରାଯାଉଛି ।