କନକ ବ୍ୟୁରୋ : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଥାନୁଆଳ ଗାଁ । ଗୋଟିଏ ଗାଁ ଦୁଇଟି ୱାର୍ଡରେ ବିଭକ୍ତ । ପାଖାପାଖି ଏକ ହଜାରରୁ ଅଧିକ ଲୋକ ଏହି ଗାଁରେ ବସବାସ କରୁଥିବା ବେଳେ ଖୁଆ ପେଡ଼ା ପାଇଁ ପ୍ରସିଦ୍ଧ ଏହି ଗାଁ । ଦୀର୍ଘ ସତୁରୀ ବର୍ଷ ତଳେ ଲୋକନାଥ ଦୋରା ନାମକ ଜଣେ ବ୍ୟକ୍ତି ଟ୍ରେନରେ ଫେରି କରିବା ସମୟରେ ଏହି ପେଡ଼ା ସମ୍ପର୍କରେ ଜାଣିବା ପରେ ସେବେଠାରୁ ଏଠାରେ ପେଡ଼ା ବ୍ୟବସାୟ ଆରମ୍ଭ ହୋଇଛି । ସମୟ ଥିଲା ଏହି ଗାଁର ୬୦ ଭାଗ ଲୋକ ପେଡ଼ା ବ୍ୟବସାୟ କରୁଥିଲେ । ଏବେ ଗାଁରେ ୩୦ରୁ ୪୦ ପରିବାର ପ୍ରତିଦିନ ପ୍ରାୟ ୫୦ ହଜାର ଟଙ୍କାର ପେଡ଼ା ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଛନ୍ତି ।
ପ୍ରତିଯୋଗିତା ଭିତରେ ସବୁ ବ୍ୟବସାୟ ଆଗକୁ ବଢ଼ୁଥିବା ବେଳେ ଏହି ଗାଁର ପେଡ଼ା ବ୍ୟବସାୟୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଗଭଳି ଆଉ ଗାଁରେ ପ୍ରଚୁର ପରିମାଣର ଗାଈକ୍ଷୀର ମିଳୁନଥିବାରୁ ଏହି ପେଡ଼ା କାରିଗରମାନେ ଓମଫେଡ କ୍ଷୀର ଉପରେ ନିର୍ଭର କରି ପେଡ଼ା ତିଆରି କରୁଛନ୍ତି । ଧୀରେ ଧୀରେ ଓମଫେଡ କ୍ଷୀରର ବଜାର ଦର ବଢ଼ୁଥିବାରୁ ପେଡ଼ା ବ୍ୟବସାୟ ପ୍ରଭାବିତ ହୋଇଛି । ଆଗରୁ ପେଡ଼ା ୧ ଟଙ୍କା, ୨ ଟଙ୍କାରେ ମିଳୁଥିବା ବେଳେ ଏବେ ୫ ଟଙ୍କା ଓ ୧୦ ଟଙ୍କାରେ ମିଳୁଛି । ଆଗଭଳି ଥାନୁଆଳ ଗାଁ ପେଡ଼ାର ଚାହିଦା ରହିଥିବା ବେଳେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଲାଭରେ ବାଧକ ସାଜିଛି । ତଥାପି ଏହି ବ୍ୟବସାୟରୁ ମୁହଁ ଫେରାଇ ନାହାନ୍ତି ଏହି ମିଠା ଗାଁର ମିଠା ମଣିଷମାନେ ।
ତେବେ ଥାନୁଆଳ ଗାଁର ଏହି ପେଡ଼ା କାରିଗରମାନଙ୍କୁ ସୋସାଇଟି ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦେଲେ ସେମାନଙ୍କର ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ।