କନକ ବ୍ୟୁରୋ : ଆଲୋଚନା କମ୍, ହଟ୍ଟଗୋଳ ବେଶୀ। ଲଗାତର କିଛି ଦିନ ଧରି ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି । ଆଦାନୀ ପ୍ରସଙ୍ଗରେ ଗୃହ ଭିତରେ ଓ ବାହାରେ ଆଜି ପୁଣି କଂଗ୍ରେସ ସମେତ ବିରୋଧୀ ସାଂସଦ ମାନେ ହଲ୍ଲାବୋଲ କରିଛନ୍ତି । 'ଦେଶକୁ ବିକିବାକୁ ଦେବୁ ନାହିଁ' ଲେଖାଥିବା ପ୍ଲାକାର୍ଡ ହାତରେ ଧରି ବିରୋଧୀ ସାଂସଦ ମାନେ ବିକ୍ଷୋଭ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ସେପଟେ ସୋରୋସ୍ ପ୍ରସଙ୍ଗରେ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଦଳ ଏବେ ଜର୍ଜ ସୋରୋସଙ୍କ କାଠ କଣ୍ଢେଇ ପାଲଟିଛି । ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ବିରୋଧୀଙ୍କୁ ଜନତା କେବେ କ୍ଷମା କରିବ ନାହିଁ ବୋଲି ନଡ୍ଡା କହିଛନ୍ତି ।
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏହାକୁ ଗଣତନ୍ତ୍ର ପ୍ରତି ଅପମାନ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସାଂସଦ ଏଚ.ଡି ଦେବଗୌଡ଼ା। ରାଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରାଯାଇପାରିବ ନାହିଁ ବୋଲି କହିଛି ବିଜେପି।
ଏସବୁ ମଧ୍ୟରେ ଆସନ୍ତା ୧୩ ଓ ୧୪ ତାରିଖରେ ଦଳୀୟ ସାଂସଦ ମାନଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ବିଜେପି ପକ୍ଷରୁ ହ୍ବିପ୍ ଜାରି କରାଯାଇଛି। ଏହି ଦୁଇ ଦିନ ସଂସଦରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ରହିଛି ।