କନକ ବ୍ୟରୋ: ପାକିସ୍ତାନରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଇସଲାମାବାଦରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବାକୁ ଜୟଶଙ୍କର ପାକିସ୍ତାନ ଗସ୍ତ କରିଛନ୍ତି । ରାୱଲପିଣ୍ଡି ବିମାନବନ୍ଦର ରେ ପାକିସ୍ତାନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଜୟଶଙ୍କର ଙ୍କୁ ସ୍ୱାଗତ ଜଣାଥିଲେ । ଜୟଶଙ୍କର ମଧ୍ୟ ପାକିସ୍ତାନ ଅଧିକାରୀଙ୍କ ସହ ହାତ ମିଳାଇଥିଲେ । 

Advertisment

୯ବର୍ଷ ପରେ ଭାରତର ବିଦେଶ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଯାଇଛନ୍ତି । ଏହା ପୂର୍ବରୁ ସୁଷମା ସ୍ୱରାଜ ୨୦୧୫ରେ ପାକିସ୍ତାନ ଯାଇଥିଲେ । ପାକିସ୍ତାନର ଇସଲାମାବାଦରେ  ୧୫ ଓ ୧୬ ଅକ୍ଟୋବର ରେ ଦୁଇଦିନ ଧରି ଅନୁଷ୍ଠିତ ହେଉଛି ସାଂଘାଇ କୋପରର୍ସନ ବା ଏସସିଓ ଶିଖର ସମ୍ମିଳନୀ ବୈଠକ । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ରାତ୍ରି ଭୋଜନରେ ଯୋଗଦେଇଛନ୍ତି ଜୟଶଙ୍କର । ଶିଖର ସମ୍ମିଳନୀ ପାଇଁ ପାକିସ୍ତାନୀ କର୍ତ୍ତୃପକ୍ଷ ରାଜନୈତିକ ଅଶାନ୍ତି ଓ ଆତଙ୍କବାଦୀ ହିଂସାର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । ସମଗ୍ର ଇସଲାମାବାଦରେ ସୈନ୍ୟ ମୁତୟନ କରାଯାଇଛି ଏବଂ ଜେଲରେ ଥିବା ବିରୋଧୀ ଦଳ ନେତା ଇମ୍ରାନ ଖାନଙ୍କ ଶତାଧିକ ସମର୍ଥକଙ୍କୁ ଗିରଫ କରାଯାଇଛି । ବିରୋଧକୁ ସୀମିତ କରିବା ପାଇଁ ନୂଆ ଆଇନ ମଧ୍ୟ ଲାଗୁ କରାଯାଇଛି। 

ଏହି ଶିଖର ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବେଲାରୁସ୍ ପ୍ରଧାନମନ୍ତ୍ରୀ ରୋମାନ୍ ଗୋଲୋଭଚେଙ୍କୋ, କାଜାଖସ୍ତାନ ପ୍ରଧାନମନ୍ତ୍ରୀ ଓଲଝାସ୍ ବେକତେନୋଭ, ରୁଷ୍‌ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନ, ତାଜିକ୍ ପ୍ରଧାନମନ୍ତ୍ରୀ କୋହିର ରସୁଲଜୋଦା, ଉଜବେକ୍ ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ଆରିପୋଭ, କିର୍ଗିଜସ୍ତାନର ମନ୍ତ୍ରିମଣ୍ଡଳ ଅଧ୍ୟକ୍ଷ ଜାପାରୋଭ ଆକିଲବେକ୍ ଏବଂ ଇରାନର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଯୋଗ ଦେଇଛନ୍ତି। ଏସସିଓ ସମ୍ମିଳନୀ ଅବସରରେ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଇଶାକ ଡାର୍‌ଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନାକୁ ଉଭୟ ପକ୍ଷ ପୂର୍ବରୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ନିକଟରେ  ଜୟଶଙ୍କର କହିଥିଲେ,  ପାକିସ୍ତାନ ସୀମାପାର ଆତଙ୍କବାଦକୁ ଅଣଦେଖା କରି ମନମୁଖି ଚିନ୍ତାଧାରାରେ ଲିପ୍ତ ରହିଲେ ଦ୍ୱିପାକ୍ଷିକ ଆଲୋଚନା ସମ୍ଭବ ନୁହେଁ।