କନକ ବ୍ୟୁରୋ : ନିତି ଆୟୋଗ ବୈଠକରେ ମୋଦୀଙ୍କ ମନ୍ତ୍ର । ମୁଖ୍ୟମନ୍ତ୍ରୀମାନଙ୍କୁ ସଫଳତାର ମନ୍ତ୍ର ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପ୍ରତି ଭାରତୀୟଙ୍କ ଲକ୍ଷ୍ୟ ବିକଶିତ ଭାରତ । ଗୋଟିଏ ରାଜ୍ୟ ଗୋଟିଏ ବିଶ୍ସସ୍ତରୀୟ ଲକ୍ଷ୍ୟ ଉପରେ ଫୋକସ କରିବାକୁ କହିଛନ୍ତି ମୋଦୀ । ଏଥିସହ କହିଛନ୍ତି ଗୋଟିଏ ଟିମ୍ ହୋଇ କାମ କରନ୍ତୁ କେନ୍ଦ୍ର ଓ ରାଜ୍ୟ । ଆଜି ଦିଲ୍ଲୀରେ ଶେଷ ହୋଇଛି ନିତି ଆୟୋଗର ୧୦ମ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିକଶିତ ଭାରତର ନକ୍ସା ଆଙ୍କିଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ ସଂକଳ୍ପକୁ ସତ କରିବାକୁ ଆହ୍ବାନ ଦେଇଛନ୍ତି ମୋଦୀ । ଏହାଛଡା ମୋଦୀ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ଟିମ୍ ଇଣ୍ଡିଆ ହୋଇ କାମ କଲେ, କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ବିକଶିତ ହେଲେ ରାଜ୍ୟ, ବିକଶିତ ହେବ ଭାରତ କାର୍ୟ୍ୟକ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଜରୁରୀ । ଯାହାଦ୍ବାରା ବିକାଶର ବେଗରୁ ଆହୁରି ତ୍ବରାନିତ୍ବ କରିବାକୁ ହେବ । ଦ୍ରୁତ ଓ ବିକଶିତ ସହରୀକରଣ ଉପରେ ଗୁରୁତ୍ବ ଦେବାକୁ ପଡିବ । ୨୦୪୭ ବିକଶିତ ଭାରତର ସ୍ବପ୍ନ ପୁରା ପାଇଁ ଟିମ୍ ଇଣ୍ଡିଆ ହୋଇ କେନ୍ଦ୍ର ଓ ରାଜ୍ୟ ଏକାଠି କାମ କରିବାକୁ ପରାମର୍ଶ ଦେଇଛନ୍ତି ।
ସେପଟେ ନିତି ଆୟୋଗ ବୈଠକ ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ପ୍ରଚାର ମଇଦାନ ହେଉ କି କୌଣସି ଦଳୀୟ କାର୍ଯ୍ୟକ୍ରମ । ବିରୋଧୀ ଦଳର ନେତା ମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦୀଙ୍କ ବିରୋଧରେ ବୟାନବାଜୀ କରିଥାନ୍ତି । ତେବେ ଆଜିର ବୈଠକ ସରିବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଅଲଗା ଅନ୍ଦାଜ ଦେଖିବାକୁ ମିଳିଛି । କିଏ ଚା କପ ଧରି ଚର୍ଚ୍ଚା କରିଛନ୍ତି ତ ପୁଣି କିଏ ପ୍ରଧାନମନ୍ତ୍ରୀଙ୍କ ସହ ହସଖୁସି କରୁଥିବା,ମୁଣ୍ଡପୋତି ପ୍ରଣାମ କରୁଥିବା ଆଉ କିଏ ହାତ ମିଳାଉଥିବା ଦେଖିବାକୁ ମିଳିଛି । ଯାହାର ଫଟୋ ଓ ଭିଡିଓ ବେଶ ଚର୍ଚ୍ଚା ସାଉଁଟିଛି ।