କନକ ବ୍ୟୁରୋ : ସଢେଇ ଭିତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିଖୁଣ ପ୍ରତିମୂର୍ତ୍ତି । ସଢ଼େଇକୁ ସଢେଇ ଜଏଂଟ କରି ରଙ୍ଗତୁଳୀରେ ଆଙ୍କୁଛନ୍ତି ମହାପ୍ରଭୁଙ୍କ ଚିତ୍ର । ପୁରୀ ଜିଲ୍ଲା ରୁପୁଦେଇପୁର ଗାଁର ଶିଳ୍ପୀ ବିଷ୍ଣୁ ପ୍ରସାଦଙ୍କ ଏଭଳି କଳାକୃତି ଏବେ ସମସ୍ତଙ୍କ ମନ ଜିଣୁଛି । ନଡ଼ିଆ ଖାଇବା ପରେ ସଢ଼େଇକୁ କେହି ଜାଳେଣି ରୂପେ ବ୍ୟବହାର କରନ୍ତି ତ ପୁଣି କିଏ ଏହାକୁ ଫପାଡ଼ିଦିଅନ୍ତି । ସେହି ଅଦରକାରୀ ସାମଗ୍ରୀରୁ ଏଭଳି ସୁନ୍ଦର ସର୍ଜନାର ପରିକଳ୍ପନା କରିଛନ୍ତି ବିଷ୍ଣୁ । ନିଜ ଗାଁ ଓ ପଡ଼ୋଶୀ ଗାଁରୁ ନଡ଼ିଆ ସଢ଼େଇ ସଂଗ୍ରହ କରି ସେଥିରେ ଜଗନାଥଙ୍କ ମୂର୍ତ୍ତି, ମୟୂର, ନୀଳଚକ୍ର, ପେନଷ୍ଟାଣ୍ଡ୍, ମନ୍ଦିର, ମହିଳାଙ୍କ ଅଳଙ୍କାର ଭଳି ଅନେକ ସମଗ୍ରୀ ତିଆରି କରୁଛନ୍ତି ।
ବିଷ୍ଣୁପ୍ରସାଦ ତାଙ୍କର ଏହି କଳାକୁ ଆଗକୁ ବଢ଼ାଇବା ପାଇଁ ଏକ ୬ ମାସିଆ ତାଲିମ ନେଇଛନ୍ତି । ପିଏମ ବିଶ୍ବକର୍ମା ଯୋଜନାରେ ସାମିଲ ହୋଇ ଏହି କଳା ବିଷୟରେ ଅଧିକା କିଛି ପ୍ରଶିକ୍ଷଣ ନେଇଛନ୍ତି । ଯାହା ତାଙ୍କୁ ବେଶ୍ ସହାୟକ ହୋଇଛି । ତାଙ୍କର ଏହି କାମରେ ପତ୍ନୀ ମଧୁସ୍ମିତା ସହଯୋଗର ହାତ ବଢ଼ାଇଛନ୍ତି । ହାତଗଣତି କିଛି ମେଳା ମହୋତ୍ସବକୁ ଛାଡ଼ିଦେଲେ ବିକ୍ରି କରିବାକୁ କିଛି ମାଧ୍ୟମ ନାହିଁ ।
ସତରେ ବିଷ୍ଣୁପ୍ରସାଦଙ୍କ ଏଭଳି ଉଦ୍ୟମ ନିଶ୍ଚୟ ପ୍ରଶଂସାଯୋଗ୍ୟ । ଜଣେ କଳାକାର ହିଁ ଏଭଳି କିଛି କଳାକୃତି ସୃଷ୍ଟି କରିବାରେ ସକ୍ଷମ ହୋଇଥାଆନ୍ତି । ବିକ୍ରି କରିବା ପାଇଁ କିଛି ମାଧ୍ୟମ ମିଳିଲେ ଭଲ ରୋଜଗାର ହେବା ସହ ତାଙ୍କ କଳାକୁ ଉଚିତ୍ ସମ୍ମାନ ମିଳିପାରନ୍ତା ।