କନକ ବ୍ୟୁରୋ : ଜଙ୍ଗଲ ଓ ପାହାଡ଼ ସହ ଆଦିବାସୀଙ୍କ ଜୀବନ ଧାରା ଜଡ଼ିତ । ଜଙ୍ଗଲରୁ ଫଳମୂଳ ସଂଗ୍ରହ କରିବାରେ ଏମାନଙ୍କ ସମୟ ବିତିଯାଏ । ଏବେ ମହୁଲ ଫୁଲ ଅମଳ ସମୟ ହୋଇଥିବା ବେଳେ ଏହାକୁ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି ନବରଙ୍ଗପୁରର ଆଦିବାସୀ ମହିଳା ଓ ପୁରୁଷ । ପରିବାରର ସମସ୍ତ ସଦସ୍ୟ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଅଛନ୍ତି । ଖରା ବଢ଼ିବା ସହ ମହୁଲ ଫୁଲ ପାଚି ତଳେ ବିଛାଡ଼ି ହୋଇ ପଡ଼ିଥାଏ । ଲୋକମାନେ ଏହା ସଂଗ୍ରହ କରି ୨- ୩ ଦିନ ଶୁଖାଇଥାନ୍ତି । ଶୁଖିଲା ମହୁଲକୁ ବିକ୍ରି କରି ଭଲ ପଇସା ପାଇଥାନ୍ତି ଆଦିବାସୀ । ଯାହା ସେମାନଙ୍କ ପରିବାର ପୋଷଣରେ ସହାୟକ ହେଉଛି ।
ବିଶେଷକରି ନବରଙ୍ଗପୁର ଜିଲ୍ଲାର ଝରିଗାଁ, ଉମରକୋଟ ଓ ରାଇଘର ଅଞ୍ଚଳରେ ପ୍ରଚୁର ପରିମାଣର ମହୁଲ ମିଳିଥାଏ । ଆଦିବାସୀ ମହିଳା ଓ ପୁରୁଷମାନେ ମହୁଲ ସଂଗ୍ରହ କରନ୍ତି । ହେଲେ ପରିଶ୍ରମ ଅନୁସାରେ ସେମାନଙ୍କୁ ପାରିଶ୍ରମିକ ମିଳୁନାହିଁ । ଖୁବ୍ କମ୍ ଟଙ୍କାରେ ଆଦିବାସୀ ମହୁଲ ବିକ୍ରି କରୁଛନ୍ତି । ଏବେ ବଜାରରେ ମହୁଲ କିଲୋ ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି । ଦଲାଲମାନେ ଏସବୁ ଆଦିବାସୀଙ୍କ ଠାରୁ କମ୍ ଦରରେ କିଣି ନେଇ ମାଲାମାଲ ହେଉଛନ୍ତି । ଆଦିବାସୀମାନେ ସେତେ ଲାଭ ପାଉ ନାହାନ୍ତି ।
ଚାଷକାମ ସରି ଯାଇଛି । ଆଦିବାସୀଙ୍କ ହାତରେ ବିଶେଷ କିଛି କାମ ନାହିଁ । ଏହି ସମୟରେ ମହୁଲ ଫୁଲ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି । ଘରେ ହାତବାନ୍ଧି ବସିବା ଅପେକ୍ଷା ପରିବାର ଚଳାଇବା ପାଇଁ ଏମାନେ ଜଙ୍ଗଲରୁ ମହୁଲ ସଂଗ୍ରହ କରୁଛନ୍ତି । ତାକୁ ବିକ୍ରି କଲେ ତେଲଲୁଣର ସଂସାର ଚଳୁଛି । ତେବେ ମହୁଲ ଫୁଲ ବିକିବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ହେଲେ ସେମାନେ ଉପକୃତ ହୋଇପାରନ୍ତେ ।