କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ବିଭିନ୍ନ ସ୍ଥାନରେ ଲୋକେ ଆକ୍ରାନ୍ତ ହେବା ସହ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଝରିଗାଁ ବ୍ଲକର ଚେପଟିଆମ୍ବା ଗାଁ ଓ ପପଡାହାଣ୍ଡି ବ୍ଳକର ଗାଦବାକତରା ଗାଁରେ ଭୟ ବଢ଼ାଇଛି ସଂକ୍ରମଣ । ୧୫ ଦିନ ମଧ୍ୟରେ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସ୍ବୀକାର କରିଛି । ସେପଟେ ଝାଡ଼ାବାନ୍ତି ବ୍ୟାପିବାର କାରଣ ଖୋଜିବାକୁ ଗାଁରେ ପହଁଚିଛନ୍ତି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍‌ । 

Advertisment

ଝରିଗାଁ ଚେପିଟିଆମ୍ବ ଗାଁର ୪ ଜଣ ଗୁରୁତର ଆକ୍ରାନ୍ତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୧୦ ଜଣଙ୍କୁ ଗାଁରେ ହିଁ ଚିକିତ୍ସା କରୁଛନ୍ତି ଡାକ୍ତରୀ ଟିମ୍‌ । ସେହିପରି ପାପଡାହାଣ୍ଡି ଗାଦବାକତରା ଗାଁର ୪ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଦୂଷିତ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପିଥୁବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ତେଣୁ ପାଣିକୁ ଫୁଟାଇ ପିଇବା ସହ ଘର ଚାରିପାଖ ପରିସ୍କାର ରଖିବାକୁ ପରାମର୍ଶ ଦେଇଛନ୍ତି ।

ବର୍ଷା ଦିନେ ଦୂଷିତ ପାଣି ପାଇଁ ଦେଖା ଦେଉଛି ଝାଡ଼ାବାନ୍ତି । ଡାକ୍ତରୀ ଟିମ୍‌ ପକ୍ଷରୁ ପାଣି ନମୁନା ସଂଗ୍ରହ କରାଯାଇଥିବା ବେଳେ ପାଣିକୁ ଫୁଟାଇ ପିଇବା ପାଇଁ ପରାମର୍ଶ ଦିଆଯାଇଛି । ଆଉ ଗାଁରେ ପହଁଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ଡାକ୍ତରୀ ଟିମ୍‌ ।